ନବରଙ୍ଗପୁର: ଜିଲ୍ଲାର ସହର ଉପକଣ୍ଠରେ ଥିବା ଲଣ୍ଡା ପାହାଡ ଆଜି ପାଲଟିଛି ପର୍ଯ୍ୟଟନସ୍ଥଳୀ 'ହିର୍ଲି ଡଙ୍ଗର' । ଏହାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ହିର୍ଲି ଡଙ୍ଗର ବୁକୁରେ ଖୋଲା ଆକାଶରୁ ନବରଙ୍ଗପୁରକୁ ଚିହ୍ନିବାକୁ ଏହି ସ୍ଥାନ ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରୁଛି । ପର୍ଯ୍ୟଟନ ଓ ବଣଭୋଜି ଋତୁରେ ହିର୍ଲି ଡଙ୍ଗରକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ..
ହିର୍ଲି ଡଙ୍ଗରର ହିଲଟପରୁ ସାରା ନବରଙ୍ଗପୁର ନିଜ ଆଖିରେ କ୍ୟାପଚର କରିବାର ମଜା ଟିକିଏ ନିଆରା । ଏଠାରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତର ସୁନେଲି କିରଣରେ ବିମୋହିତ ହେଉଛନ୍ତି ଦର୍ଶକ । ପାହାଡ ପର୍ବତ ଘେର ମଧ୍ୟରେ ଯାଇଛି ଅଙ୍କା ବଙ୍କା ରାସ୍ତା । ଆଉ ରାସ୍ତା ଦୁଇ ପାର୍ଶ୍ବରେ ଥିବା ସବୁଜ ବନାନୀ କେଉଁ କବିର କବିତା ଠୁ କମ ଭଳି ଲାଗୁନି । ଏମିତି ପରିବେଶରେ ନବରଙ୍ଗପୁର ଜିଲ୍ଲାର ହିର୍ଲି ଡ଼ଙ୍ଗର ବର୍ତ୍ତମାନ ପାଲଟିଛି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ।
ଦିନ ଥିଲା, ହିର୍ଲି ଡ଼ଙ୍ଗର ଏକ ଲଣ୍ଡା ପାହାଡ ଭାବେ ପରିଚିତ ଥିଲା । ଏଠାକୁ ଆସିବାକୁ ଲୋକେ ଭୟ କରୁଥିଲେ । ହେଲେ ପ୍ରଶାସନିକ ଉଦ୍ୟମ ଯୋଗୁଁ ଆଦିବାସୀ ପାହାଡୀ ଇଲାକାରେ ହିର୍ଲି ଡଙ୍ଗରକୁ ପର୍ଯ୍ୟଟନସ୍ଥଳ ରୂପେ ପରିଣତ କରାଯାଇ ପାରିଛି । ହିଲଟପକୁ ଯିବା ପାଇଁ ପକ୍କା ରାସ୍ତା, ପାର୍କ, ପାନୀୟଜଳ ବ୍ୟବସ୍ଥା,ବସିବା ଲାଗି ବେଞ୍ଚ ଭଳି ସମସ୍ତ ସୁବିଧା କରାଯାଇଛି । ହିଲ ଟପରୁ ଅନେକ ଭ୍ୟୁ ପଏଣ୍ଟ ରହିଛି । ଯେମିତିକି କୁସୁମଝୋର ଡ୍ୟାମ, ଛୋଟ ଛୋଟ କୁଡିଆ, ଦୂରରୁ ସହରର ବଡବଡ ଘର, ଅଟ୍ଟାଳିକା ଓ ମନ୍ଦିର । ବିଶେଷ କରି ସକ।ଳ ଓ ସନ୍ଧ୍ୟା ସମୟରେ ଏଠାରେ ଭିଡ ଲାଗିଥିବାବେଳେ ପ୍ରବେଶ ପାଇଁ ମାତ୍ର 10 ଟଙ୍କା ଶୁଳ୍କ ଦେବାକୁ ପଡିଥାଏ । ଏଠାକୁ ବୁଲିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଏବଂ ପଡୋଶୀ ରାଜ୍ୟରୁ ପର୍ଯ୍ୟଟକ ଓ ଦର୍ଶକଙ୍କ ସୁଅ ଛୁଟିବାରେ ଲାଗିଛି ।
ଏହି ଲଣ୍ଡା ପାହାଡକୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କରିବାରେ ପ୍ରଶାସନର କାର୍ଯ୍ୟକୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ । ଏହି ଭଳି ଅନ୍ୟ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏପରି ବିକାଶମୂଳକ କାର୍ଯ୍ୟ କରାଗଲେ ନବରଙ୍ଗପୁରକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବା ସହ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ପାଇବ ନବରଙ୍ଗପୁର ।
ନବରଙ୍ଗପୁରରୁ ତପନ ବିଷୋୟୀଙ୍କ ରିପୋର୍ଟ, ଇଟିଭି ଭାରତ