ନବରଙ୍ଗପୁର: ନବରଙ୍ଗପୁର ପଞ୍ଚାୟତ ନିର୍ବାଚନ ପ୍ରଚାର କରିବା ପାଇଁ ଯାଇଥିବା ସମୟରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଅଣ୍ଡା ମାଡ । ଏଥିସହ ଗାଁରୁ ତଡି ଦେଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୂମାମ ଗ୍ରାମରେ ଆଜି ନବରଙ୍ଗପୁର ସାଂସଦ ରମେଶ ମାଝୀ ନିଜ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ତ୍ରିମିଳା ପୂଜାରୀ ଏବଂ ଇଚ୍ଛାପୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ଧୂମାମ ଗ୍ରାମବାସୀ ଅଣ୍ଡାମାଡ କରିବା ସହିତ ଗାଁ ଲୋକେ ସାଂସଦଙ୍କୁ ବିରୋଧ କରିଥିଲେ ।
ତେବେ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ସମୟରେ ସ୍ଥାନ ନିରୂପଣ ନେଇ ବିବାଦ ଉଠିଥିଲା ସେହି ସମୟରେ ସାଂସଦ ଓ ବିଧାୟକଙ୍କୁ ସମାଧାନ କରିବାକୁ ନିବେଦନ କରିଥିଲେ । ହେଲେ ଜନ ପ୍ରତିନିଧି କେହି କର୍ଣ୍ଣପାତ କରିନଥିଲେ । ଏଣୁ ଗ୍ରାମବାସୀ ବିରୋଧ କରି ଆସୁଥିଲେ ବର୍ତ୍ତମାନ ପଞ୍ଚାୟତରେ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ସାଂସଦ ଏବଂ ତାଙ୍କର ସମସ୍ତ ଦଳୀୟ କର୍ମୀଙ୍କୁ ଗାଁରୁ ତଡି ଦେଇଥିଲେ ।
ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ ୨ ନମ୍ବର ଜୋନର ଇଚ୍ଛାପୁର ପଞ୍ଚାୟତର ସମସ୍ତ ଗାଁରେ ଆଜି ରମେଶ ମାଝୀ ଏବଂ ବିଜେଡି କର୍ମୀ ପ୍ରଚାର କରିବା ପାଇଁ ଯାଉଥିଲେ ଏହି ସମୟରେ ଧୂମାମ ଗାଁର ଲୋକ ନିର୍ବାଚନ ପ୍ରଚାରକୁ ଵିରୋଧ କରି ଅଣ୍ଡାମାଡ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ