ନବରଙ୍ଗପୁର: ମାତୃଭାଷାର ଶିକ୍ଷାଦାନ ବ୍ୟକ୍ତିର ସୃଜନଶୀଳତାକୁ ବିକଶିତ କରିପାରେ । ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରାଧାନ୍ୟ ପ୍ରଦାନ କରାଯାଇଛି । ଯାହାଦ୍ବାରା ଦେଶରେ ଯୁବ ବର୍ଗ ଅଧିକରୁ ଅଧିକ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରଙ୍ଗପୁର ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରବିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବାର୍ତ୍ତା ଦେଇଛନ୍ତି । ସ୍ଥାନୀୟ ଭାଷା, ମାତୃଭାଷାରେ ଶିକ୍ଷାଦାନ ପାଇଁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେହିପରି ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ନବରଙ୍ଗପୁର ମହାବିଦ୍ୟାଳୟକୁ ଭାରତ ସରକାର ସମସ୍ତ ସହଯୋଗ ଯୋଗାଇଦେବେ । ମହାବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ କରିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବିକଶିତ କରି ସୁଯୋଗ ପ୍ରଦାନ ପାଇଁ ଗୁରୁତ୍ବାରୋପ କରିଥିଲେ । ଏହି ଅବସରରେ ନବରଙ୍ଗପୁର ମହାବିଦ୍ୟାଳୟର ସ୍ମରଣିକା ଓ ମହାବିଦ୍ୟାଳୟ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ କରାଯାଇଥିଲା ।
ଧର୍ମେନ୍ଦ୍ର ପ୍ରଧାନ କୋରାପୁଟରୁ ନବରଙ୍ଗପୁରରେ ପହଞ୍ଚିବା ପରେ ଇନ୍ଦ୍ରାବତୀ ଛକ ନିକଟରେ ବିଜେପି କର୍ମୀ ଓ ନେତୃମଣ୍ଡଳୀ ତାଙ୍କୁ ସ୍ବାଗତ କରିଥିଲେ । ସେଠାରୁ ଏକ ବାଇକ ରାଲିରେ ସର୍କିଟ ହାଉସରେ ପହଞ୍ଚିଥିଲେ । ଏହାପରେ ସେ ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେଇଥିଲେ । ଉତ୍ସବରେ ଯୋଗ ଦେବାପରେ ସେ ସାଇ କଲ୍ୟାଣ ମଣ୍ଡପରେ ମହିମା ଧର୍ମାବଲମ୍ବୀ ସାଧୁମାନଙ୍କ ସହ ସାକ୍ଷାତ କରିଥିଲେ । ଏହା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ପ୍ରକଳ୍ପ ଓ ଏହାର ଅଗ୍ରଗତି ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଏହି ଗସ୍ତରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତିଜଗଦୀଶ ବିଶୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।
ନବରଙ୍ଗପୁର, ଇଟିଭି ଭାରତ