ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ବିସ୍ଫୋରକ ରୂପ ଧାରଣ କରୁଛି । ଗତ ୧୩ ଦିନରେ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୨୨ ରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କୋରୋନା କଟକଣାକୁ କଡାକଡି କରାଯାଇଛି ।
ଉମରକୋଟରେ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ,ଏସପି ,ଉପ ଜିଲ୍ଲାପାଳ ତହସିଲଦାର ସହରର ଦୋକାନ ବଜାର ବୁଲି ସ୍ଥିତି ପରଖିଛନ୍ତି । ଜିଲ୍ଲାର ୬୫ ଟି ଗାଁ ଛତିଶଗଡ ସୀମାକୁ ଲାଗି ରହିଛି । ଏହିସବୁ ଗାଁରେ ଲୋକଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାକୁ ସୀମାଗୁଡିକୁ ସିଲ୍ କରାଯାଇଛି। ସୀମାନ୍ତ ଗାଁ ଗୁଡିକରେ ସରପଞ୍ଚ ଓ ଲୋକ ପ୍ରତିନିଧିଙ୍କୁ ନିଯୁକ୍ତ କରାଯାଇ ସୀମା ଗୁଡିକରେ ନଜର ରଖାଯାଇଛି । ସୀମା ପଞ୍ଚାୟତ ଗୁଡିକରେ କୋରୋନା ଆକ୍ରାନ୍ତଙ୍କୁ ଆବଶ୍ୟକ ପଡିଲେ ଟିଏମସିରେ ରଖିବାକୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର କହିଛନ୍ତି । ସଂକ୍ରମଣ ରୋକିବା ଦିଗରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲାପାଳ ଉମରକୋଟ ସହରର ଦୋକନା ଗୁଡିକୁ ବୁଲି ତଦାରଖ କରିଛନ୍ତି । ମାସ୍କ ପିନ୍ଧା ଓ ସାମାଜିକ ଦୂରତା ରକ୍ଷା ଠିକ୍ଭାବେ ପାଳନ କରାଯାଉଛି କି ତାହାର ଯାଞ୍ଚ କରିଛନ୍ତି । ବ୍ୟବସାୟିକ ଅନୁଷ୍ଠାନଗୁଡିକରେ ଦଉଡି ବାନ୍ଧି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।
ସୂଚନାଥାଉକି ଛତିଶଗଡରେ କୋରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍ଗୀନ ହୋଇଛି । ଏହାକୁ ନଜରରେ ରଖି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ସୀମନ୍ତବର୍ତ୍ତୀ ଅଞ୍ଚଳରେ କଡା ନଜର ରଖିଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ