ନବରଙ୍ଗପୁର: ଜିଲ୍ଲାରେ ଆଜି ଗୋଟିଏ ଦିନରେ ପୁଣି 335 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ରାଜ୍ୟରେ କୋରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି । ସେହିପରି ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ଗତ କିଛିଦିନ ହେବ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି l ଜିଲ୍ଲାରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ ମାମଲା । କିନ୍ତୁ ଦୈନିକ ସଂକ୍ରମଣ ସଂଖ୍ୟା 3 ଶହ ତଳକୁ ଖସୁନାହିଁ l ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢିବାରେ ଲାଗିଛି ।
ତେବେ ବୁଧବାର ଚିହ୍ନଟ 335 ଜଣ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 14 ହଜାରକୁ ଟପିଛି l ଜିଲ୍ଲାରେ ଆଜି ସୁଦ୍ଧା 2 ଲକ୍ଷ 53 ହଜାର 254 ଜଣଙ୍କର ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା କରାଯାଇଛି l ସେଥିମଧ୍ୟରୁ 14 ହଜାର 82 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ 10 ହଜାର 791ଜଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ମୋଟ 3 ହଜାର 194 ଜଣ କୋରୋନା ସଂକ୍ରମିତ ସକ୍ରିୟ ମାମଲା ରହିଥିବାବେଳେ ସେଥିମଧ୍ୟରୁ ମୋଟ 3 ହଜାର 50 ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି । ଏବଂ ଅନ୍ୟମାନେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ବୁଧବାର ଚିହ୍ନଟ 335 ଜଣ ନୂଆ ସଂକ୍ରମିତଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 64, ଝରିଗାଁ ବ୍ଲକରୁ 60, ଚନ୍ଦାହାଣ୍ଡି ବ୍ଲକରୁ 48, ରାଇଘର ବ୍ଲକରୁ 40, ନବରଙ୍ଗପୁର ପୌରାଞ୍ଚଳରୁ 33 ଏବଂ ଉମରକୋଟ ପୌରାଞ୍ଚଳରୁ 21 ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପାପଡାହାଣ୍ଡି ବ୍ଲକରୁ 18, ତେନ୍ତୁଳିଖୁଣ୍ଟି ବ୍ଲକରୁ 15, ନନ୍ଦାହାଣ୍ଡି ବ୍ଲକରୁ 13, କୋଷାଗୁମୁଡା ବ୍ଲକରୁ 9 ଜଣ ଓ ନବରଙ୍ଗପୁର ବ୍ଲକରୁ 5 ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ