ନବରଙ୍ଗପୁର: କୋରୋନା ଲାଗି ଗାଁ ହେଉଛି ସଚେତନ, ବର୍ତ୍ତମାନ କୋରୋନା ଭୂତାଣୁ କବଳରେ ସମଗ୍ର ବିଶ୍ବ । ରାଜ୍ୟ ଓ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି । ସାମାଜିକ ଦୂରତା ଅବଲମ୍ବନ କରିବା ଲାଗି ଜନସାଧାରଣଙ୍କୁ ସଚେତନ କରାଯାଉଛି । ବାହାରକୁ ନ ବାହାରିବା ଲାଗି ବାରମ୍ବାର ପରାମର୍ଶ ଦିଆଯାଉଛି ।
ତେବେ କିଛି ସହରବାସୀ ସାମାଜିକ ଦୂରତ୍ବ ଅବଲମ୍ବନ କଲାଭଳି ମନେ ହେଉନାହିଁ । ଲୋକେ ବାହାରେ ବୁଲୁଥିବା ଲକ୍ଷ୍ୟ କରାଯାଉଛି । ପୁଲିସ ଓ ପ୍ରଶାସନର ବାରମ୍ବାର ତାଗିଦ୍ ପରେ ବି ମାନିବାକୁ ନାରାଜ୍ । ଜିଲ୍ଲାର ସବୁ ସହରାଞ୍ଚଳରେ ସ୍ଥିତି ସମାନ। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ସହରାଞ୍ଚଳର ବିଭିନ୍ନ ଦୋକାନ ଗୁଡିକରେ ଜମୁଥିବା ଗହଳିକୁ ଲକ୍ଷ୍ୟ କରି ବର୍ତ୍ତମାନ ଦୋକାନ ସମ୍ମୁଖରେ ମୁଣ୍ଡୁଳା କାଟି ସାମାଜିକ ଦୂରତା ରକ୍ଷା ଉପରେ ସଚେତନ କରାଉଛି ।
ମାତ୍ର ସହରାଞ୍ଚଳ ତୁଳନାରେ ଗାଁ ଗୁଡିକରେ ସ୍ଥିତି ଭିନ୍ନ । ଜିଲ୍ଲାର ଦୁଇଟି ଗ୍ରାମକୁ ପାପଡାହାଣ୍ଡି ବ୍ଲକର ମାନିଗାଁ ଏବଂ ଡାବୁଗାଁ ବ୍ଲକର କାଇଲାରୀ ଗ୍ରାମର ଅଧିକାଂଶ ନିରକ୍ଷର କିନ୍ତୁ କରୋନାକୁ ନେଇ ଏହି ଗାଁ ଗୁଡିକ ଅଧିକ ସଚେତନ । ଗାଁର କୌଣସି ଲୋକ ଅନ୍ୟ ଗ୍ରାମକୁ ନ ଯିବାକୁ ସ୍ଥିର ହୋଇଛି ଏବଂ ଅନ୍ୟ କୌଣସି ଗ୍ରାମବାସୀ ଆମ ଗ୍ରାମକୁ ଆସିବେ ନାହିଁ । କଥା ହେଲା ବେଳେ ଦୂରରେ ରହି କଥାବାର୍ତ୍ତା କରିବେ । କାଶ, ଥଣ୍ଡା ଓ ଜ୍ବର ହେଲେ ଡାକ୍ତରଙ୍କୁ ପରାମର୍ଶ କରିବାକୁ କୁହାଯାଉଛି । ଗାଁକୁ ସଫାସୁତରା ରଖିବାକୁ ଆଲୋଚନା ହୋଇଛି ।
କରୋନା ନ ହଟିବା ପର୍ଯ୍ୟନ୍ତ ଗାଁରେ ଆଉ କୌଣସି ବୈଠକ ହେବ ନାହିଁ ବୋଲି ସ୍ଥିର ହୋଇଛି । ନିୟମିତ ବ୍ୟବଧାନରେ ହାତ ଧୋଉଥିବା ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି । ଗ୍ରାମର ଯୁବକମାନେ ଗ୍ରାମବାସୀଙ୍କୁ ସଚେତନ କରିବା ସହ ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି । ଗାଁକୁ ବାହାର ଗ୍ରାମର ଲୋକ ଆସିବାକୁ ବାରଣ କରିଛନ୍ତି । ଏହି ଦୁଇ ଗ୍ରାମବାସୀଙ୍କ ପକ୍ଷରୁ ନିଆ ଯାଇଥିବା ପଦକ୍ଷେପ ଅନ୍ୟ ଗ୍ରାମମାନେ ଅନୁସରଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ