ନବରଙ୍ଗପୁର: କୋରୋନା ପ୍ରତିହତ ପାଇଁ ରାଜ୍ୟବ୍ୟାପୀ ଲକଡାଉନ । ଆଉ ଏହି ଲକଡାଉନର ଭରପୂର ଫାଇଦା ଉଠାଉଛନ୍ତି କାଠ ମାଫିଆ । ନବରଙ୍ଗପୁର ଡାବୁଗାଁ ଅଞ୍ଚଳର ବିଭିନ୍ନ ଜଙ୍ଗଲରେ କାଠ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ବେଧଡକ ଭାବରେ ଜଙ୍ଗଲରୁ କାଠ ମାଫିଆମାନେ ଗଛ କାଟୁଥିବା ବେଳେ ଲକଡାଉନ ଶେଷ ହେବା ପରେ ବାହାରକୁ ଚାଲାଣ କରିବା ପାଇଁ ମସୁଧା ଚଳାଇଛନ୍ତି ।
![Corona Lockdown: Active timber mafia, inactive forest department](https://etvbharatimages.akamaized.net/etvbharat/prod-images/od-ngp-lockdown-jangal-gachhakota-7204279_16052020152740_1605f_1589623060_1014.jpg)
![Corona Lockdown: Active timber mafia, inactive forest department](https://etvbharatimages.akamaized.net/etvbharat/prod-images/od-ngp-lockdown-jangal-gachhakota-7204279_16052020152740_1605f_1589623060_303.jpg)
ସେପଟେ ଡାବୁଗାଁ ଅଞ୍ଚଳରୁ ବେଆଇନ ଭାବରେ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗର ନିଷ୍କ୍ରିୟତା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ମିଳିଥିବା ସୂଚନାନୁସାରେ, ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନ ଯଥା ବାଇଗାଁ, ସରଗୁଳି ଜଙ୍ଗଲ, ମୈଦଲପୁର ବରିପଦର ଗ୍ରାମ ନିକଟ ଜଙ୍ଗଲ, ଚିକିଲି ଜଙ୍ଗଲ ଏବଂ ଡାବୁଗାଁ ରାଜରାସ୍ତାରେ ଥିବା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଥିବା ଜଙ୍ଗଲ ସମ୍ପୂର୍ଣ୍ଣ ଧ୍ୱଂସ ହେବାକୁ ବସିଲାଣି । ଗତ 2 ଦିନ ତଳେ ଡାବୁଗାଁ ରାଜସ୍ୱ ଜଙ୍ଗଲରୁ ଦ୍ବିପ୍ରହର ସମୟରେ ଗଛ କଟା ଚାଲିଥିବା ଦେଖିବାକୁ ମିଳିଥିଲା । ବହୁ ସଂଖ୍ୟାରେ ଗଛ କଟା ଯାଉଥିଲେ ମଧ୍ୟ ବନବିଭାଗର ନୀରବତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସନ୍ଦେହ କରାଯାଉଛି । ଉଭୟ ବନ ବିଭାଗ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଗଛ କଟା ଯାଉଛି । ଯାହାଫଳରେ ଜଙ୍ଗଲ ମଧ୍ୟ ଧ୍ବଂସ ହେବାକୁ ବସିଲାଣି ।
![Corona Lockdown: Active timber mafia, inactive forest department](https://etvbharatimages.akamaized.net/etvbharat/prod-images/od-ngp-lockdown-jangal-gachhakota-7204279_16052020152740_1605f_1589623060_815.jpg)
![Corona Lockdown: Active timber mafia, inactive forest department](https://etvbharatimages.akamaized.net/etvbharat/prod-images/od-ngp-lockdown-jangal-gachhakota-7204279_16052020152740_1605f_1589623060_138.jpg)
ତେବେ ବିଭାଗୀୟ ଅଧିକାରୀଙ୍କ ନିରବତା ଯୋଗୁଁ କାଠ ମାଫିଆମାନଙ୍କ କଳା କାରନାମାର ସାମ୍ରାଜ୍ୟ ବିସ୍ତାର ହେଉଥିବା ବେଳେ ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ