ନବରଙ୍ଗପୁର: ଜିଲ୍ଲାରେ ରାଜ୍ୟ ସରକାରଙ୍କ ନିୟମ ମୁତାବକ କୋଭିଡ଼ ନିୟମକୁ କଡାକଡି ପାଳନ କରାଯାଉଥିବା ବେଳେ ଜିଲ୍ଲାବାସୀଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ସଚେତନତା ଅଭିଯାନ ଆରମ୍ଭ କରିଛି ।
ରାଜ୍ୟ ସରକାରଙ୍କ ତରଫରୁ ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପୋଲିସ ବିଭାଗ ତରଫରୁ କୋଭିଡ ନିୟମ ପାଳନ ପାଇଁ ଗୋଟିଏ ପଟେ ଯାଞ୍ଚ ଓ ଚଢ଼ାଉ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନ୍ୟପଟେ ଦୋକାନ ମାନଙ୍କରେ କିଭଳି କୋଭିଡ ନିୟମ ଉଲ୍ଲଘଂନ ନ ହେବ ସେଥିପାଇଁ ଜିଲ୍ଲାପାଳ ଓ ଏସପି ଅଣ୍ଟା ଭିଡିଛନ୍ତି । ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଓ ଏସପି ପ୍ରହଲ୍ଲାଦ ସାଇ ମିନା ସହର ଭିତରେ ଥିବା ଦୋକାନୀମାନଙ୍କୁ ସଚେତନ କରାଇଛନ୍ତି ।
ଦୋକାନମାନଙ୍କରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ, ସାନିଟାଇଜର ବ୍ୟବହାର କରିବା ପାଇଁ ସଚେତନ କରାଇଛନ୍ତି । ପ୍ରଚଣ୍ଡ ଖରା ହେବା ସତ୍ତ୍ୱେ ମଧ୍ୟ ଜିଲ୍ଲାପାଳ ଓ ଏସ୍ପି ଲୋକଙ୍କୁ ବୁଲି ବୁଲି ସଚେତନ କରାଇଥିଲେ । ଏଥିସହ ଜିଲ୍ଲାର ଛତିଶଗଡ଼ରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ତୀକ୍ଷଣ ନଜର ରଖିବା ସହିତ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଇଡି କଲେଜରେ କୋଭିଡ କେୟାର ସେଣ୍ଟରକୁ ଖୋଲାଯାଇଥିବା ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ