ନବରଙ୍ଗପୁର: ପୋଖରୀରେ ଗାଧୋଇବା ହେବା କାଳ । ଗାଧୋଇବା ବେଳେ ବୁଡି ନାବାଳିକା ମୃତ । ଏଭଳି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଆଟିଗାଁ ପଞ୍ଚାୟତ ଅନ୍ତର୍ଗତ ଆମ୍ବ ଗ୍ରାମରେ । ମୃତ ନାବାଳିକା ହେଲେ ଆମ୍ବ ଗାଁର ଧନୀରାମ ହରିଜନଙ୍କ ଝିଅ ବର୍ଷା ହରିଜନ । ବୟସ ୧୦ ବର୍ଷ ।
ସୂଚନା ଅନୁଯାୟୀ, ଧନୀରାମ ହରିଜନର ଝିଅ ବର୍ଷା ହରିଜନ ଓ ତା ସାଥୀମାନେ ଆମ୍ବ ଗାଁ ନିକଟ ଏକ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ବର୍ଷାର ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡି ଯାଇଥିଲା । ସାଥୀ ସାଙ୍ଗମାନେ ବର୍ଷା ପାଣିରେ ବୁଡି ଯିବାପରେ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଗଭୀର ପୋଖରୀରୁ ବର୍ଷାକୁ ଉଦ୍ଧାର କରିଥିଲେ ।
ଏହା ମଧ୍ୟ ପଢନ୍ତୁ: ଋଣ ଜାଲିଆତି ମାମଲା: ପୂର୍ବତନ CEO ଚନ୍ଦା କୋଚର ଓ ସ୍ଵାମୀ ଦୀପକ କୋଚର ଗିରଫ
ବର୍ଷାକୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ । ଏ ନେଇ ମୃତ ନାବାଳିକାର ବାପା ଧନୀରାମ୍ କୋଡିଙ୍ଗା ଥାନାରେ ଏତଲା ଦେବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।
ଇଟିଭି ଭାରତ, ନବରଙ୍ଗପୁର