ନବରଙ୍ଗପୁର: ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ଏଥିସହ ବିଜେପି ଜିଲ୍ଲା ସଦସ୍ୟଙ୍କ ସ୍ବାର୍ଥକୁ ପ୍ରତିନିଧିତ୍ବ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି । ତେବେ ଏନେଇ ପ୍ରଥମେ ବିଜେପିର ଏକ ରାଲି ବାହାରି ପ୍ରଥମେ ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହାପରେ ନବରଙ୍ଗପୁର ଜିଲ୍ଲା ସଦର ବ୍ଲକଠାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ବିଜେପି ଏକ ଦାବିପତ୍ର ପ୍ରଦାନ କରିବା ସହ ବିଭିନ୍ନ ଦୁର୍ନୀତିକୁ ନେଇ ବ୍ଲକ ଘେରାଉ କରିଥିଲା ।
ତେବେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା, ମନରେଗା ମାଧ୍ୟମରେ ୯୫ ଦିନର ଶ୍ରମିକ ଟଙ୍କା ପ୍ରଦାନ କରିବା ଓ ବୋନସ ଅର୍ଥ ରାଶି ଆଦି ଦେବା ନେଇ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ସେହିପରି ଶାସକ ଦଳର କିଛି ମୁଷ୍ଟିମେୟ ଲୋକ ଗୃହଗୁଡିକ ଅଧପନ୍ତରିଆ କାମ କରି ହିତାଧିକାରୀଙ୍କ ଅଜ୍ଞାତରେ ସମ୍ପୂର୍ଣ୍ଣ ବିଲ ଉଠାଇ ଆତ୍ମସାତ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । SECC ତାଲିକାରୁ ବାଦ୍ ପଡ଼ିଥିବା ଗ୍ରାମର ଗରୀବ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି । ତେଣୁ ଉକ୍ତ ଗ୍ରାମର ଲୋକଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି ହୋଇଥିଲା ।
ଅନ୍ୟପଟେ ସମସ୍ତ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅବିଳମ୍ବେ କରାଯାଉ, ଦୀର୍ଘ ଦିନରୁ ନିର୍ମିତ ହୋଇଥିବା ଗୁହାଳଗୁଡ଼ିକର ବିଲ ପୈଠ କରାଯାଉ, ରାଜ୍ୟରେ ଅହେତୁକ ବିଜୁଳି ଦର ବୃଦ୍ଧିକୁ ହ୍ରାସ କରାଯାଉ ତଥା ଯୁବକ ଯୁବତୀଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦିଆଯିବା ଭଳି ବିଭିନ୍ନ ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗତକାଲିର ଏହି ବ୍ଲକ ଘେରାଉ ସମୟରେ ପୂର୍ବତନ ସାଂସଦଙ୍କ ପ୍ରଶ୍ନ ବାଣରେ କୌଣସି ପ୍ରଶ୍ନର ସଠିକ ମତ ରଖିପାରି ନଥିଲେ ।ତେବେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ବିଜେପି ସାଂସଦ ପର୍ଶୁରାମ ମାଝୀ ମୁଖ୍ୟ ନେତୃତ୍ବ ନେଉଥିବା ବେଳେ ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ବିଜେପି ସଭାପତି ଗୋବିନ୍ଦ ଜୈନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ ଓ ବ୍ଲକର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
ଇଟିଭି ଭାରତ, ନବରଙ୍ଗପୁର