ନବରଙ୍ଗପୁର: ଜିଲ୍ଲାର ସାନକୁମୁଲି ଠାରେ ଦୀର୍ଘ ଦିନ ଧରି ଭାଲୁ ଆତଙ୍କ ଖେଳାଇଥିଲା। ଗ୍ରାମବାସୀଙ୍କ ନିକଟରୁ ବନ ବିଭାଗ ଖବର ପାଇ ଗତକାଲି ରାତିରୁ ଭାଲୁ ଧରିବା ପାଇଁ ଅପରେସନ ଆରମ୍ଭ କରିଥିଲା।ସାନକୁମୁଲି ଗ୍ରାମର ମୋତିରାମ ମାଝୀଙ୍କ ଘରେ, ଏକ ଗୋବର ଗ୍ୟାସ ଟ୍ୟାଙ୍କରେ ଦୁଇଟି ଭାଲୁ ଛୁଆକୁ ଜନ୍ମ ଦେଇ ମାଆ ଭାଲୁ ରହି ଯାଇଥିଲା । ବହୁ ପରିଶ୍ରମ କରି ବନବିଭାଗ ଦ୍ଵାରା ମାଆ ଭାଲୁ ସହ ଦୁଇଟି ଭାଲୁ ଛୁଆକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି।
ବନବିଭାଗ ଦ୍ଵାରା ବର୍ତ୍ତମାନ ଭାଲୁ ତିନୋଟିକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ନୀଳଗୁଣ୍ଡି ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନା ବିଜୟ ଦାନ ଖୁରା । ଦାନ୍ତକାଠି ଆଣିବା ପାଇଁ ଗାଁ ପାଖ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ହିଁ ବିଜୟଙ୍କ ମୃତ୍ୟୁ ହୋଇଥିଲା।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ