ନବରଙ୍ଗପୁର: ପୁଣି ବିଡିଓ ଓ ବିଧାୟକଙ୍କ ମଧ୍ୟରେ ଯୁକ୍ତିତର୍କ । ନବରଙ୍ଗପୁର ଜିଲ୍ଲା ପାପାଡାହାଣ୍ଡି ବ୍ଲକ ବିଡିଓଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ କଥାକଟି । ବ୍ଲକରେ ଦୁର୍ନୀତିକୁ ନେଇ ତାରା ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ ।
ସୂଚନା ଅନୁସାରେ, ପାପାଡାହାଣ୍ଡି ବ୍ଲକରେ ଦୁର୍ନୀତି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଗତକାଲି ଠାରୁ ବ୍ଲକ ଆଗରେ ଧାରଣା ଦିଆଯାଉଛି । ତେବେ ଆଜି ଏହି ଧାରଣାରେ ବିଧାୟକ ତାରା ବାହିନୀପତି ଯୋଗ ଦେବା ସହ ଦୁର୍ନୀତି ବିରୋଧରେ ଭାଷଣା ଦେବା ସହ ନାରାବାଜି ଦେଇଥିଲେ । ମାତ୍ର ଏହି ସମୟରେ ବିଡିଓ ରଞ୍ଜିତା ମଲ୍ଲିକ ମଧ୍ୟାହ୍ନ ଭୋଜନ କରିବାକୁ ଯାଉଥିବା ବେଳେ ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଅଟକାଇଥିଲେ ବିଧାୟକ ବାହିନୀପତି ।
ବିଧାୟକ ତାରା ବାହିନୀପତି ବିଡିଓଙ୍କୁ ଅଟକାଇବା ସହ ଦୁର୍ନୀତି ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ବିଡିଓ ଓ ତାରାଙ୍କ ମଧ୍ୟରେ କଥାକଟି ଲାଗିଥିଲା । ଏହି ଘଟଣା ବିଷୟରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଜାଣିବା ପରେ ଘଟଣାସ୍ଥଳକୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ପଠାଇଥିଲେ ।
ଅତିରିକ୍ତ ଜିଲ୍ଲାପାଳ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଧାୟକ ବାହିନୀପତି ଏବଂ ଉପସ୍ଥିତ ଧାରଣାରତ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା ପରେ ସମସ୍ତଙ୍କ ଉପସ୍ଥିତିରେ ପାପଡାହାଣ୍ଡି ବିଡିଓ ରଞ୍ଜିତା ମଲ୍ଲିକ ବିଧାୟକଙ୍କୁ କ୍ଷମା ମାଗିଥିଲେ । ଏଥିସହ ୧୬ ଦଫା ଦାବିର ସମାଧାନ ଲାଗି ୧ ମାସ ସମୟ ବ୍ଲକ ପ୍ରଶାସନ ମାଗିବା ସହ ପଞ୍ଚାୟତରାଜ ସେକ୍ରେଟାରୀ ଆରଡିସିଙ୍କ ପ୍ରତିଶୃତି ପରେ ଧାରଣରୁ ଓହରିଥିଲେ ବାହିନୀପତି ଏବଂ କଂଗ୍ରେସ କର୍ମୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ