ଦୂର ହେଲା ଜଳକଷ୍ଟ, ୨୫ ବର୍ଷ ପରେ ଗାଁରେ ବସିଲା ନଳକୂପ - ନବରଙ୍ଗପୁର ପାନୀୟ ଜଳ ସମସ୍ୟା
ଦୀର୍ଘ 25 ବର୍ଷ ପରେ ଦୂର ହେଲା ଜଳକଷ୍ଟ । ନାଳ ଓ ଝରଣା ପାଣିରେ ଶୋଷ ମେଣ୍ଟାଉଥିବା ଗ୍ରାମବାସୀଙ୍କୁ ମିଳିଲା ନଳକୂପ ଜଳ । ଅଧିକ ପଢନ୍ତୁ
ନବରଙ୍ଗପୁର: ଦୀର୍ଘ ୨୫ ବର୍ଷ ପରେ ଦୂର ହେଲା ଜଳକଷ୍ଟ । ନାଳ ଓ ଝରଣା ପାଣି ବଦଳରେ ଏଣିକି ନଳକୂପ ପାଣି ପାଇବେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ କୁସୁମଖୁଣ୍ଟା ଗାଁରେ ୨୫ ବର୍ଷ ପରେ ନକଳୂପ ବସିଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ନଳକୂପ ଉଦଘାଟନ କରିଛନ୍ତି । ଏଥିପାଇଁ ଗ୍ରାମବାସୀ ବିଧାୟକଙ୍କୁ ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତର ବିଛିନ୍ନାଞ୍ଚଳ ଗ୍ରାମ କୁସୁମଖୁଣ୍ଟାରେ 32 ପରିବାର ବସବାସ କରନ୍ତି । ସମସ୍ତେ ଚାଷବାସ କରି ଜୀବନ ବିତାଉଛନ୍ତି । ଜଙ୍ଗଲ ପାହାଡ଼ ଘେରା ଏହି ଅଞ୍ଚଳରେ ଶୋଷ ମେଣ୍ଟାଇବା ପାଇଁ ଲୋକେ ନାଳ ଓ ଝରଣା ପାଣି ଉପରେ ନିର୍ଭର କରୁଥିଲେ । ବିଶେଷକରି ଗ୍ରୀଷ୍ମ ଦିନେ ଅନେକ ଅସୁବିଧା ହେଉଥିଲା । ହେଲେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଦ୍ବାରା ଏବେ ଗାଁରେ ନୂତନ ନଳକୂପର ଉଦଘାଟନ କରାଯାଇଛି । ଦୀର୍ଘ 25 ବର୍ଷ ବସତି ସ୍ଥାପନ ପରେ ନଳକୂପ ଜଳର ସ୍ବାଦ ଚାଖିଛନ୍ତି କୁସୁମଖୁଣ୍ଟା ଗ୍ରାମବାସୀ ।
ଅନ୍ୟପଟେ ଏହି ବିଛିନ୍ନାଞ୍ଚଳରେ ଯେଉଁ ଯେଉଁ ସମସ୍ୟା ଅଛି, ତାହାକୁ ଶୀଘ୍ର ସମାଧାନ କରାଯିବ ଏବଂ ଅଞ୍ଚଳରେ ସାତଟି ନଳକୂପ ଖନନ କରାଯାଇଛି ବୋଲି ବିଧାୟକ କହିଛନ୍ତି । ଏହି ନଳକୂପ ଉଦଘାଟନୀ କାର୍ଯ୍ୟକ୍ରମରେ ପାପଡାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ବରିଷ୍ଠ ବିଜେଡ଼ି ନେତା ତ୍ରିନାଥ ମଣ୍ଡଳ, ୧ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଯଶବନ୍ତ ନାୟକ, ମଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ବଜ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ