ନବରଙ୍ଗପୁର: ଅଭିଜିତ ମଣ୍ଡଳ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗତ ୯ ତାରିଖରେ ଚିକିଲି ଗୌଡ଼ସାହିର ଅଭିଜିତ ମଣ୍ଡଳ କଂଗ୍ରେସ ରାଲିକୁ ଯାଇ ନିଖୋଜ ହୋଇଥିଲେ । ଏହାପରେ ଏପ୍ରିଲ ୧୮ତାରିଖ ଦିନ କୁସୁମପାଣି ଜଙ୍ଗଲରୁ ଅଭିଜତ ମଣ୍ଡଳର ଶବ ଉଦ୍ଧାର କରିଥିଲା ଝରିଗାଁ ପୋଲିସ । ଏହାପରେ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଅଭିଜିତର କଲ୍ ରେକର୍ଡକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଅଭିଜିତଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଜଗବନ୍ଧୁ ପଟେଲ ଓ ଅଭିଜିତକୁ ଫୋନ କରି ଡାକିଥିବା ବ୍ୟକ୍ତି ତୁଲାରମ ଗୌଡ଼କୁ ସନ୍ଦେହ କରି ପଚରାଉଚରା ଆରମ୍ଭ କରିଥିଲା। ଏହାପରେ ଦୁହେଁ ଅଭିଜିତକୁ ହତ୍ୟା କରିଥିବାର ସ୍ୱୀକାର କରିଥିଲେ।
ପୋଲିସ ସୂଚନା ଅନୁଯାୟୀ, ଅଭିଜିତଙ୍କ ବାପା ଓ ଜଗବନ୍ଧୁ ପଟେଲଙ୍କ ମଧ୍ୟରେ ପୂର୍ବରୁ ଟଙ୍କା କାରବାର ନେଇ ଶତ୍ରୁତା ଥିଲା । ଏହି ଶତ୍ରୁତା ନେଇ ଜଗବନ୍ଧୁ ପଟେଲ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା । ତେବେ ପୂର୍ବରୁ ଅଭିଜିତର ବାପା ଅତୁଳ ମଣ୍ଡଳକୁ ଜଗବନ୍ଧୁ ହତ୍ୟା ଧମକ ବି ଦେଇଥିଲା । ଏହାମଧ୍ୟରେ ସେ ଅତୁଳ ମଣ୍ଡଳର ପରିବାରକୁ ତଳିତଳାନ୍ତ କରିବା ପାଇଁ ସୁଯୋଗ ଖୋଜିଥିଲା । ଶେଷରେ ଏପ୍ରିଲ 7ତାରିଖ ଦିନ ତୁଲାରାମ ଗୌଡ଼ ସହ ମିଶି ହତ୍ୟା କରିବା ପାଇଁ ଯୋଜନା କରିଥିଲା ।
ସୂଚନାଯୋଗ୍ୟ ଯେ, ତୁଲାରାମ ଅଭିଜିତର ଘନିଷ୍ଠ ବନ୍ଧୁ ଥିଲା । କିନ୍ତୁ ଦୁହିଁଙ୍କ ବ୍ୟବସାୟ ମଧ୍ୟରେ ଅଭିଜିତର ବ୍ୟବସାୟ ବୃଦ୍ଧି ପାଇଥିଲା । ସେଥିପାଇଁ ତୁଲାରାମ ମନରେ ଅଭିଜିତ୍ ପାଇଁ ଈର୍ଷା ଭାବ ଥିଲା । ଯାହାର ଫାଇଦା ଉଠାଇଥିଲା ଜଗବନ୍ଧୁ ପଟେଲ ।
ସେ ତୁଲାରାମକୁ ଏପ୍ରିଲ 7ତାରିଖ ଦିନ ଡାକି ଅଭିଜିତକୁ କୁସୁମପାଣି ଜଙ୍ଗଲରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏଥିସହ ସେ ତୁଲାରାମର ମନରେ ଲୋଭ ଦେଖାଇଥିଲା ଯେ, ଅଭିଜିତ ମଣ୍ଡଳକୁ ହତ୍ୟା କଲା ପରେ ତାର ବ୍ୟବସାୟ ବଢିବା ସହ ସେ ତାକୁ ଟଙ୍କା ମଧ୍ୟ ଦେବ । ହେଲେ ଅଭିଜିତ ମଣ୍ଡଳ ଜାଣି ନ ଥିଲା ଯେ ତାର ନିଜ ଘନିଷ୍ଠ ବନ୍ଧୁ ଏହିପରି ଷଡ଼ଯନ୍ତ୍ର ରଚିଛି ।
ତେବେ ଏପ୍ରିଲ ୯ ତାରିଖ ଦିନ ପ୍ରତିଦିନ ପରି ଅଭିଜିତ ମଣ୍ଡଳ ନିଜ କାମରେ ବ୍ୟସ୍ତ ଥିଲା । ସେହି ସମୟରେ ଯୋଜନା ମୁତାବକ ତୁଲାରାମ ଗୌଡ଼ ଅଭିଜିତକୁ ଫୋନ କରି ଝରିଗାଁ କଂଗ୍ରେସ ରାଲିରେ ଯିବା ପାଇଁ ଡାକିଥିଲା । ଏହାପରେ ଅଭିଜିତ ମଣ୍ଡଳ ବାଇକ ଯୋଗେ ଝରିଗାଁ କଂଗ୍ରେସ ରାଲିରେ ବାହାରିଥିଲା । ଯୋଜନା ମୁତାବକ ତୁଲାରମ ପୂର୍ବରୁ ଆସି ଝରିଗାଁରେ ଜଗି ରହିଥିଲା । ଅଭିଜିତ ଝରିଗାଁ ପହଞ୍ଚିବା ପରେ ତୁଲାରାମକୁ ମିଶିଥିଲା।
ଏହା ପୂର୍ବରୁ ବର୍ଷା ଯୋଗୁଁ କଂଗ୍ରେସ ରାଲି ବାତିଲ ହୋଇଯାଇଥିଲା କିନ୍ତୁ ତୁଲାରାମ ଅଭିଜିତକୁ ମିଛ କହି ଜଙ୍ଗଲ ଭିତରେ ଥିବା ଗାଁକୁ ବାଇକ ରାଲି ଯାଇଛି ବୋଲି ମିଛରେ ଡାକି ନେଇଥିଲା । ଏହାପରେ ଦୁଇ ସାଙ୍ଗ ମଦ ପିଇବା ପାଇଁ ବସିଲେ। ହେଲେ ତୁଲାରାମ ନିଜେ ମଦ ନ ପିଇ ଅଭଜିତକୁ ପ୍ରଥମେ ମଦ ପିଆଇଥିଲା । ଏହି ସମୟରେ ପୂର୍ବରୁ ଜଙ୍ଗଲରେ ଲୁଚି ରହିଥିବା ଜଗବନ୍ଧୁ ପଟେଲ ପଛପଟୁ ଆସି ଅଭିଜିତର ମୁଣ୍ଡକୁ ପଥରରେ ଆକ୍ରମଣ କରିଥିଲା ।
ଏହାପରେ ଅଭିଜିତ ତଳେ ପଡ଼ି ଯାଇଥିଲା। ଯାହାର ସୁଯୋଗ ନେଇ ଉଭୟ ଅଭିଜିତର ତଣ୍ଟି ଚିପି ହତ୍ୟା କରିବା ପରେ ପାହାଡ଼ ତଳେ ଡାଳପତ୍ର ଦେଇ ଲୁଚାଇ ଦେଇଥିଲେ । ଏଥିସହ ସେମାନେ ଅଭିଜିତର ବାଇକକୁ ପାହାଡ଼ର ଅନ୍ୟପାର୍ଶ୍ୱକୁ ଠେଲି ଦେଇଥିଲେ ।
ଅନ୍ୟପଟେ ଅଭିଜିତ ଘରକୁ ନ ଫେରିବାରୁ ଝରିଗାଁ ଥାନାରେ ଅଭିଜିତଙ୍କ ବାପା ଅତୁଳ ମଣ୍ଡଳ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଦୁହିଁଙ୍କୁ ପଚରାଉଚରା କରିବା ପରେ ଜଗବନ୍ଧୁ ପଟେଲ ଓ ତୁଲାରାମ ଗୌଡ଼ ଅଭିଜିତକୁ ହତ୍ୟା କରିଥିବାର ମାନିଥିଲେ । ତେବେ ଏନେଇ ନେଇ ଝରିଗାଁ ଥାନାରେ ସୋମବାର କେସ୍ ନଂ 28/ 2019 ଜରିଆରେ ଧାରା 302, 201 ଓ 34 ଆଇପିସିରେ ସେମାନଙ୍କୁ କୋର୍ଟଚାଲାଣ କରିଛନ୍ତି ଝରିଗାଁ ପୋଲିସ ।
ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ