ନବରଙ୍ଗପୁର: ନାବାଳିକାକୁ ବିକ୍ରି ଅଭିଯୋଗରେ 6 ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ 4 ମହିଳା ମଧ୍ୟ ସାମିଲ ରହିଛନ୍ତି। ନାବାଳିକାଙ୍କୁ ବିକ୍ରି କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। କାମ ଦେବା ବାହାନାରେ ଗିରଫ 6ଜଣ ଦିଲ୍ଲୀ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କ ଅନିଚ୍ଛା ସତ୍ତ୍ବେ ଜଣଙ୍କ ସହ ବିବାହ କରାଇ ଦିଆଯାଇଥିବା ଚାଞ୍ଚଲ୍ୟକର ଅଭିଯୋଗ ହୋଇଛି।
ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଉମରକୋଟ ଅଞ୍ଚଳର ଏକ ଗ୍ରାମର ମଙ୍ଗଳ ସିଂ ହରିଜନ ଓ ମନିତା କମାର ନାମକ ଦୁଇଜଣ ମହିଳା ଓ ପୁରୁଷ ନାବାଳିକା ଜଣଙ୍କୁ କାମ କରିବାକୁ ଯିବା ବାହାନାରେ 2020 ମସିହା ଅଗଷ୍ଟ 20 ତାରିଖରେ ଘରୁ ଡାକି ନେଇ ଯାଇଥିଲେ। ଏହାପରେ ଗ୍ରାମଠୁ କିଛି ଦୂରରୁ ପର୍ଶୁ ସାନ୍ତା ଓ ମନିତା ଏକ କାର ଯୋଗେ ନବରଙ୍ଗପୁର ସ୍ଥିତ ତଟାସାହିକୁ ନେଇ ଯାଇଥିଲେ। ସେଠାରେ ନାବାଳିକାଙ୍କୁ 3 ମାସ କାମ କରାଇବା ସହ ଘର ଲୋକଙ୍କ ସମ୍ପର୍କ କରିବାକୁ ଦିଆ ଯାଇନଥିଲା।
ପରବର୍ତ୍ତୀ ସମୟରେ ନାବାଳିକାଙ୍କୁ ଦିଲ୍ଲୀ ନେଇ ଜଣେ ଅଜଣା ବ୍ୟକ୍ତିଙ୍କ ସହ ବିବାହ କରାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଉକ୍ତ ଅଜଣା ବ୍ୟକ୍ତିଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ମଧ୍ୟ ଆଣିଛନ୍ତି 6 ଅଭିଯୁକ୍ତ। ନାବାଳିକାକୁ ବିକ୍ରିକରି ଅଭିଯୁକ୍ତମାନେ ରାଜ୍ୟକୁ ଫେରି ଆସିଥିଲେ। ତେବେ କୌଣସି ମତେ ନାବାଳିକା ଜଣକ ଉକ୍ତ ଅଜଣା ବ୍ୟକ୍ତିଙ୍କ ନିକଟରୁ ଖସି ଆସି ଉମରକୋଟରେ ପହଞ୍ଚିଥିଲେ। ଖବର ପାଇଁ 6 ଦଲାଲ ପୁନଃ ନାବାଳିକ ଘରେ ପହଞ୍ଚି ତାକୁ ଦିଲ୍ଲୀ ଫେରାଇ ନେବାକୁ ଜିଦ କରିଥିଲେ। ଏହାସହ ତାକୁ 6 ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା କଥା ମଧ୍ୟ କହିଥିଲେ।
ଏହାକୁ ନେଇ ନାବାଳିକାଙ୍କ ପରିବାର ଲୋକେ ପୋଲିସର ଦ୍ବାରସ୍ତ ହୋଇଥଲେ। ଘଟଣାରେ ସାମିଲ 6 ଅଭିଯୁ୍କ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ନିର୍ମଳା ସୁନା, ବାସନ୍ତି ସୁନା, ଯମୁନା ନାଗ, ମଙ୍ଗଳ ସିଂ ହରିଜନ, ପର୍ଶୁ ସାନ୍ତା ଓ ମନିତା କମାର।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ