ନବରଙ୍ଗପୁର: ଜରାଜୀର୍ଣ୍ଣ ଅବସ୍ଥାରେ 50 ବର୍ଷ ତଳର ପଥର ଯୋଡ଼େଇ ବ୍ରିଜ୍ । ଉପରକୁ ଚିକ୍କଣ ମାତ୍ର ବିଜ୍ ଉପରେ ଯାତାୟତ ବିପଦପୂର୍ଣ୍ଣ । ନବରଙ୍ଗପୁର ସିନ୍ଧିଗୁଡା ବ୍ରିଜ। ନବରଙ୍ଗପୁରରୁ ନନ୍ଦାହାଣ୍ଡି ବ୍ଲକ ଦେଇ ତେନ୍ତୁଳିଖୁଣ୍ଟି ଇନ୍ଦ୍ରାବତୀକୁ ସଂଯୋଗ କରୁଛି ଏହି ବ୍ରିଜ ।
ତେବେ ନବରଙ୍ଗପୁରରୁ ନନ୍ଦାହାଣ୍ଡି ଯିବା ପାଇଁ ଏହି ସଂକୀର୍ଣ୍ଣ ପୋଲ ଉପର ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଭାରି ଯାନ ଚଳାଚଳ କରୁଛି । ମାତ୍ର ପୋଲଟିର ଅବସ୍ଥା ଏମିତି ଯେ, ତାହା କୌଣସି ମୁହୁର୍ତ୍ତରେ ଭାଙ୍ଗିଯାଇ ପାରେ ବୋଲି ସ୍ଥାନୀୟ ବାସିନ୍ଦା ମତ ରଖିଛନ୍ତି ।
ନବରଙ୍ଗପୁର ସହରଠାରୁ ମାତ୍ର 6 କିମି ଦୂରରେ ରହିଛି ଏହି ବ୍ରିଜ । କେଉଁଠି ପଥର ଖସି ଯାଇଛି ତ ଆଉ କେଉଁଠି ପୋଲ ଭାଙ୍ଗି ଖଣ୍ଡଖଣ୍ଡ । ହେଲେ ଏହି ବିପଦପୂର୍ଣ୍ଣ ବ୍ରିଜ ଉପରେ ନିର୍ଭର କରନ୍ତି ପ୍ରାୟ 10 ହଜାର ଲୋକେ । ଅନ୍ୟପଟେ ବ୍ରିଜ ମରାମତି ପାଇଁ ବାର ବାର ପ୍ରଶାସନ ପାଖରେ ଗୁହାରି ହେଉଥିଲେ ମଧ୍ୟ ପ୍ରଶାସନ ଚୁପ । କାରଣ ନୂତନ ପୋଲ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଉ ଥିଲେ ବିଗତ 6 ବର୍ଷ ଧରି ପୋଲ ନିର୍ମାଣ କରିବାକୁ କେହି ପ୍ରସ୍ତୁତ ନୂହେଁ ।
ତେବେ କାହିଁକି ଠିକାଦାରମାନେ ଟେଣ୍ଡର ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି,ସେଥିପ୍ରତି ବିଭାଗ ଧ୍ୟାନ ନ ଦେଇ ନିଜ ମୁଣ୍ଡରୁ ଦୋଷ ଛଡାଇ ଚୁପ ହୋଇ ବସିଛି । ଏନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ପୋଲ ନିର୍ମାଣ ପାଇଁ ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ପାଇଁ ଦାବି ହେଉଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ