ନବରଙ୍ଗପୁର: ବାହାର ରାଜ୍ୟକୁ ଚାଲାଣ ବେଳେ ୪୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ଶ୍ରମ ବିଭାଗ । ଦୁଇଟି ବସରେ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଖବର ପାଇ ଶ୍ରମ ବିଭାଗ ଦ୍ବାରା ଚଢ଼ାଉ କରାଯାଇଥିଲା । ଗୋଟିଏ ବସରେ ଥିବା ୨୩ ଜଣ ଶ୍ରମିକଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମା ଅଞ୍ଚଳରୁ ଜଣେ ଦଲାଲ ଏକ ବସ ଯୋଗେ ହାଇଦ୍ରାବାଦ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ନାବାଳକ ଥିବା ଜଣାପଡ଼ିଛି । ତେବେ ବସଟିକୁ ଶ୍ରମ ଅଧିକାରୀ ଅଟକ ରଖିଥିବା ବେଳେ ଦଲାଲ ଜଣକ ଫେରାର ହେଇଯାଇଛି ।
ଦଲାଲ ଜଣକ ଶ୍ରମ ବିଭାଗ ନିକଟରେ ପଞ୍ଜିକୃତ ଦଲାଲ ହୋଇନଥିବାରୁ ତା ବିରୋଧରେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ନେଇ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ସେପଟେ ଆଉ ଏକ ୧୮ ଜଣିଆ ଶ୍ରମିକ ଦଳ ନିଜ ଇଚ୍ଛାରେ କେରଳ ଯାଉଥିବା କହିଛନ୍ତି । ତେବେ ସେହି ୧୮ ଜଣ ଶ୍ରମିକଙ୍କୁ ପଞ୍ଜିକରଣ କରି କେରଳ ଯିବାକୁ ଅନୁମତି ଦିଆଯାଇଛି ।
ଜିଲ୍ଲାରେ କାମ ଅଭାବ ସାଙ୍ଗକୁ ମନରେଗା କାମ ଗୁଡିକ ମେସିନ ଦ୍ବାରା କରାଯାଉଥିବାରୁ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ