ନବରଙ୍ଗପୁର: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । କମ୍ପ୍ୟୁଟର ଶିକ୍ଷା ସହ 6 ମାସରେ 3 ଗୁଣା ଟଙ୍କା ଦେବା ମାମଲାରେ 2 ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଗିରଫ ଅଭଯୁକ୍ତ ହେଲେ ଉମେଶ ଚନ୍ଦ୍ର ମିଶ୍ର ଓ ଶୁଭମ୍ ପ୍ରଧାନ । ପୂର୍ବରୁ ଏ ମାମଲାରେ ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଭୁବନେଶ୍ବରର ଉମେଶ ଚନ୍ଦ୍ର ମିଶ୍ର ବ୍ରହ୍ମପୁରରେ ଏଡୱାଲ ଗ୍ଲୋବାଲ ସର୍ଭିସ ଲିମିଟେଡ ନାମକ ଘରୋଇ ସଂସ୍ଥା ଖୋଲିଥିଲେ । ଯେଉଁ ସଂସ୍ଥାରେ ସେ ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହ ଯେତେ ଟଙ୍କା ଦେଲେ 6 ମାସରେ ତାହା ବଢିଯାଇ 3 ଗୁଣା ସହ ଫେରସ୍ତ କରିବା ନେଇ ଅଫର୍ ରଖିଥିଲେ । ଏହି କ୍ରମରେ ସଂସ୍ଥାର ଆଉ ଏକ ଶାଖା ନବରଙ୍ଗପୁର ତେଲ ସାହିରେ ଖୋଲିଥିଲା। ନିୟମ ଅନୁସାରେ ସଂସ୍ଥା ସେ ଜିଲ୍ଲାର ପିଲାଙ୍କ ଠାରୁ 4200ଟଙ୍କାରୁ ଆରମ୍ଭ କରି 10 ହଜାର ଟଙ୍କା ପର୍ଯ୍ୟନ୍ତ ନେଇଥିଲା।
ହେଲେ ମାସ ପରେ ମାସ ବିତିଯାଇଥିଲେ ସୁଦ୍ଧା ପିଲାଙ୍କୁ କମ୍ପ୍ୟୁଟର ଶିକ୍ଷା ମିଳିବା ଦୂରର କଥା ଜମା ଟଙ୍କାକୁ ମଧ୍ୟ ସେ ଫେରସ୍ତ କରିନଥିଲେ। ଯାହାକୁ ବିରୋଧ କରି ପିଲା ଗତ ଅକ୍ଟୋବର 27ରେ ନବରଙ୍ଗପୁର ପୋଲିସର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ କେସ ନମ୍ବର 168/19 ଦାୟର କରି 28 ଅକ୍ଟୋବରରେ ଘଟଣାରେ ସମ୍ପୃକ୍ତ ଥିବା ବ୍ରହ୍ମପୁରର ଶିବ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମଙ୍ଗଳବାର ପୁଣି ଉକ୍ତ ମାମଲାରେ ପୋଲିସ ସଂସ୍ଥାର ମୁଖ୍ୟ ଉମେଶ ଚନ୍ଦ୍ର ମିଶ୍ରଙ୍କୁ ଭୁବନେଶ୍ବର ପଟିଆ ସ୍ଥିତ ଶୁଭମ ଆପାର୍ଟମେଣ୍ଟରୁ ଏବଂ ସଂସ୍ଥାର ଟିମ ଲିଡର ଶୁଭମ ପ୍ରଧାନଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ତିନି ଜଣ ଗିରଫ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ମହିଳା ଏବେ ବି ଫେରାର ଅଛନ୍ତି। ଗିରଫ ଅଭିଯୁକ୍ତ 2 ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏ ମାମଲାର ତଦନ୍ତ ଚାଲିଥିବାବେଳେ ପୋଲିସ କ୍ୟାମେରା ସାମନାରେ କୌଣସି ପ୍ରତିକ୍ରିୟା ଦେଇନଥିବାରୁ ଏହି ମାମଲାରେ ସମ୍ପୃକ୍ତ ଥିବା 2 ମହିଳାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ