ନବରଙ୍ଗପୁର: ଆରମ୍ଭ ହେଲା ଜିଲ୍ଲାର ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ । କଳା ଓ ସଂସ୍କୃତି ମାଧ୍ୟମରେ ପ୍ରତିଭାର ଅନ୍ବେଷଣର ଏହି ଉତ୍ସବ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଆଜ୍ଞାମାଳ ନେବାପରେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସଂସ୍କୃତି ଓ କଳାର ମିଳନ ପର୍ବ ମଣ୍ଡେଇ ମହୋତ୍ସବରେ ଦେଖିବାକୁ ମିଳିବ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ।
ପାରମ୍ପରିକ ବାଦ୍ୟ, ସଙ୍ଗୀତ ଓ ସ୍ଥାନୀୟ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟର ତାଳେ ତାଳେ ନବରଙ୍ଗପୁରର ଲୋକ ମହୋତ୍ସବ ମଣ୍ଡେଇ 2019ରେ ପାଦ ଦେଇଛି । ମଣ୍ଡେଇ ମହୋତ୍ସବ 18ବର୍ଷରେ ପାଦ ଦେଇଥିବାବେଳେ ଏହାକୁ ଖୁବ୍ ଧୁମଧାମରେ ନବରଙ୍ଗପୁର ବାସିନ୍ଦା ସ୍ବାଗତ ଜଣାଇଛନ୍ତି । ପ୍ରଥମ ଦିବସର ଅତିଥି ଥିବା ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ରମେଶ ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ସମେତ ଅନ୍ୟ ଅତିଥିଙ୍କ ଦ୍ବାରା ମା' ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ମା'ଙ୍କ ଆଜ୍ଞ।ମାଳ ନେଇ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରାରେ ମଣ୍ଡେଇର ବାର୍ତ୍ତା ଓ ଲକ୍ଷ୍ୟ, ଉଦ୍ଦେଶ୍ୟ ପୂରଣ ନେଇ ସହର ପରିକ୍ରମା କରିଥିଲେ ।
ଏହି ସାଂସ୍କୃତିକ ଶୋଭାଯାତ୍ରାରେ ସ୍ଥାନୀୟ ବାଦ୍ୟ, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ମଣ୍ଡେଇ ପଡିଆ ନିକଟରେ ପହଞ୍ଚିବା ପରେ ଆଦିବାସୀଙ୍କ ପ୍ରତୀକ ଭିମା ଭିମାଣିଙ୍କ ମୂର୍ତ୍ତିଙ୍କୁ ମଣ୍ଡେଇ ମଞ୍ଚ ନିକଟରେ ସ୍ଥାପନା କରିବା ପରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା ମଣ୍ଡେଇ ମହୋତ୍ସବ ।
ସନ୍ଧ୍ୟାରେ ମଣ୍ଡେଇ ପଡିଆରେ ଥିବା ମଞ୍ଚରେ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ଆୟୋଜିତ ସଭାରେ ଅତିଥିଙ୍କ ଦ୍ବାରା ମଣ୍ଡେଇର ମହତ୍ତ୍ବ ଓ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ