କେନ୍ଦୁଝର: ମାଉସୀ ଘର ବୁଲି ଆସିଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଛି । ପୀଡିତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ସେ ଏହି ଅଞ୍ଚଳରେ ଥିବା ନିଜ ମାଉସୀଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ମୁତାବକ, ଗୁରୁବାର ସନ୍ଧ୍ୟାରେ ପୀଡିତା ନିଜ ମାଉସୀ ପୁଅ ଭାଇ ସହ ପାଖ ଛକକୁ ଯାଇଥିଲେ । ଏହି ସମୟରେ ତାଙ୍କର ଭାଇ କୌଣସି କାମରେ ଅନ୍ୟତ୍ର ବାହାରି ଯାଇଥିଲେ । ମହିଳା ଛକ ଉପରେ ଏକାକି ଛିଡା ହୋଇଥିବା ବେଳେ ଦୁଇ ଜଣ ଯୁବକ ସେଠାରେ ପହଞ୍ଚିଥିଲେ ଓ ବାଇକ୍ ଯୋଗେ ତାଙ୍କୁ ଘରେ ଛାଡି ଦେବେ ବୋଲି କହି ସାଙ୍ଗରେ ନେଇ ଯାଇଥିଲେ ।
ହେଲେ ମାଉସୀ ଘର ଗାଁକୁ ଯିବା ବଦଳରେ ଦୁଇ ଯୁବକ ମହିଳାଙ୍କୁ ଏକ ନିଛାଟିଆ ଆମ୍ବତୋଟାକୁ ନେଇଯାଇଥିଲେ । ସେଠାରେ ତାଙ୍କ ସହ ଗଣଦୁଷ୍କର୍ମ କରି ପଳାଇ ଯାଇଥିବା ପୀଡିତା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଛି । ତେବେ ଏ ଯାଏଁ ଏହି ଘଟଣାରେ ସମ୍ପୃକ୍ତ ଥିବା କୌଣସି ଅଭିଯୁକ୍ତ ଧରା ପଡିନାହାନ୍ତି ।
ସେହିପରି ବାଲେଶ୍ବରରେ ମଧ୍ୟ ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଦୁଇ ନାବାଳିକା ଦଶମ ଶ୍ରେଣୀରେ ପଢନ୍ତି । ସ୍କୁଲରୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ଅପହରଣ କରିନେଇଥିଲେ । ଅଭିଯୁକ୍ତମାନେ ନାବାଳିକାଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଇ ଦିନ ଧରି ଦୁଷ୍କର୍ମ କରିଥିଲେ । ଅପହରଣ ହେବାର ଦୁଇଦିନ ପରେ ଦୁଇ ଛାତ୍ରୀ ଘରକୁ ଫେରିଥିଲେ । ସେମାନଙ୍କ ଦେହରେ ବିଭିନ୍ନ କ୍ଷତ ଦେଖି ପରିବାର ଲୋକେ ପଚାରିବାରୁ ପୀଡିତା ସବୁକଥା ଜଣାଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଦୁଇ ଦିନ ତଳେ ଭୁବନେଶ୍ବରରେ ଦୁଇ ନାବାଳିକାଙ୍କୁ ପ୍ରଥମେ ଅପହରଣ ପରେ ହାତ ଗୋଡ ବାନ୍ଧି ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାଙ୍କ ମଧ୍ୟରୁ ଜଣଙ୍କର ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କର ୧୪ ବର୍ଷ ଥିଲା । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ମଲ୍ଲିକ ଓରଫ କାହ୍ନାକୁ ଗିରଫ କରିଛି ।
ଇଟିଭି ଭାରତ, କେନ୍ଦୁଝର