ମୟୂରଭଞ୍ଜ: ରାଜ୍ୟରେ ଏବେ ଚାଲିଛି ନିର୍ବାଚନ ଋତୁ । ଏହାର ପ୍ରଭାବରେ ସକ୍ରିୟ ହୋଇଉଠିଛି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ରାଜନୀତି । ଏଥରର ନିର୍ବାଚନରେ କିଏ ବାଜି ମାତ୍ କରିବ ତାକୁ ନେଇ ଆରମ୍ଭ ହୋଇଗଲାଣି ଅଙ ଅଙ୍କକଷା । ଜିଲ୍ଲା ରାଜନୀତିରେ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଅପ୍ରାଣ ଉଦ୍ୟମ ଚଳାଇଛନ୍ତି ସବୁ ଦଳ ।
ଏହିକ୍ରମରେ ମୟୂରଭଞ୍ଜ ଲୋକସଭାକୁ ନିଜ ଦଖଲକୁ ନେବା ପାଇଁ ଅଣ୍ଟା ଭିଡିଛନ୍ତି ସବୁ ଦଳ । ଏଥର ଏହି ସଂସଦୀୟ କ୍ଷେତ୍ରରେ ବିଜେଡି, ବିଜେପି ଏବଂ କଂଗ୍ରେସ-ଜେଏମଏମ ମେଣ୍ଟ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବାକୁ ଯାଉଛି। ରାଜନୈତିକ ଦୃଷ୍ଟିକୋଣରୁ ଏହି ଲୋକସଭା ଆସନ ଅନେକ ଗୁରୁତ୍ୱବହନ କରିଥାଏ । ପଡୋଶୀ ରାଜ୍ୟ ଝାଡଖଣ୍ଡର ରାଜନୈତିକ ପାଣିପାଗର ପ୍ରଭାବ ଏହା ଉପରେ ପଡିଥାଏ ।
ଦେଶରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ସର୍ବାଧିକ ୫ ଥର କଂଗ୍ରେସ ଖାତାକୁ ଯାଇଛି ମୟୂରଭଞ୍ଜ ଲୋକସଭା ଆସନ । ଦୁଇ ଦୁଇ ଥର ଏଠାରେ ବାଜିମାତ କରିଛନ୍ତି ଉଭୟ ବିଜେପି ଏବଂ ବିଜେଡି। ସେହିପରି ଥରେ ଜେଏମଏମ ଖାତାକୁ ଯାଇଛି ମୟୂରଭଞ୍ଜ ଲୋକସଭା ।
ଏଥର ବିଜେଡିରୁ ଦେବାଶିଷ ମାରାଣ୍ଡି, ବିଜେପିରୁ ବିଶେଶ୍ୱର ଟୁଡୁ ଏବଂ କଂଗ୍ରେସ ଜେଏମଏମ ମେଣ୍ଟରୁ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସୁପ୍ରିମୋ ଶିବୁ ସାରେନଙ୍କ ଝିଅ ଅଞ୍ଜଳି ସୋରେନ ପ୍ରାର୍ଥୀ ହୋଇଛନ୍ତି।
ବିଜୟ ନେଇ ସବୁ ଦଳ ଆଶାବାଦୀ ଅଛନ୍ତି। ମୟୂରଭଞ୍ଜ ସଂସଦୀୟ ନିର୍ବାଚନମଣ୍ଡଳୀର ଭୋଟର ଏଥର ସାଂସଦ ଭାବେ କାହାକୁ ଦେଖିବାକୁ ଚାହୁଁଛନ୍ତି ତାହା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଯିବ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଈଟିଭି ଭାରତ