ରାଇରଙ୍ଗପୁର : କୋରୋନା ମୁକାବିଲା ପାଇଁ ସଚେତନ ହେଉଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଗ୍ରାମକୁ ପ୍ରବେଶ ନିଷେଧ କରାଯାଉଛି । ମହାମାରୀ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରବେଶ ପଥ ବନ୍ଦ କରି ଗାଁ ଗଣ୍ଡା ଲକ୍ ଡାଉନ୍ କରୁଛନ୍ତି ଖୋଦ ଗ୍ରାମବାସୀ ।
ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗୟଳକଟା ଗ୍ରାମରେ ଦେଖିବାକୁ ମିଳିଛି ଏପରି କିଛି ନିଆରା ଦୃଶ୍ୟ । ଏଠାରେ ଗ୍ରାମର ପ୍ରବେଶ ପଥରେ ବାଉଁଶ ଦ୍ବାରା ଗେଟ୍ ତିଆରି କରି ରାସ୍ତା ଅବରୋଧ କରାଯିବା ସହିତ ଗେଟ ଜଗିଛନ୍ତି ଗ୍ରାମର କିଛି ଯୁବକ । କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ସାବୁନରେ ହାତ ଧୋଇବା ପରେ ଗ୍ରାମକୁ ପ୍ରବେଶର ଅନୁମତି ଦେଉଛନ୍ତି । ଅନ୍ୟାନ୍ୟ ଗ୍ରାମର ବ୍ୟକ୍ତିଙ୍କୁ ଆଗମନର କାରଣ ପଚାରି ସାବୁନରେ ହାତ ଧୋଇବାପରେ ଛାଡୁଛନ୍ତି ନଚେତ ଫେରାଇ ଦେଉଛନ୍ତି ।
କୋରୋନା ଭୂତାଣୁକୁ ନେଇ ଗ୍ରମବାସୀମାନେ ଏକ ଫଟକରେ ଗ୍ରାମରେ ପ୍ରବେଶ ନିଷେଧ, ସାବୁନରେ ହାତ ଧୋଇବା ଓ ଗୋଡ ଧୋଇ ଗାଁକୁ ପ୍ରବେଶ କରନ୍ତୁ ଓ ଗୋଟଏ ଜାଗାରେ ଏକତ୍ରିତ ହୁଅନ୍ତୁ ନାହିଁ ଆଦି ଲେଖା ହୋଇଥିବା ସୂଚନା ଫଳକ ଲଗାଇଛନ୍ତି । କୋରୋନା ସଂକ୍ରମଣ ବିରୋଧରେ ଲଢ଼ିବାକୁ ଗ୍ରାମବାସୀ ପ୍ରସ୍ତୁତ ଥିବା ବେଳେ ଅନ୍ୟ ଲୋକମାନଙ୍କୁ ମଧ୍ୟ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ