ରାଇରଙ୍ଗପୁର: ଖଣିଜ ସମ୍ପଦରେ ଭରପୁର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ । ରାଇରଙ୍ଗପୁର ଉପଖଣ୍ଡରେ ତିନୋଟି ବଡ଼ ବଡ଼ ଲୌହ ଖଣି ରହିଛି । ସୁଲେଇପାଟ, ବାଦାମପାହାଡ ଓ ଗୋରୁମହିଷାଣୀ ଲୌହ ଖଣି ଥାଇ ମଧ୍ୟ ସ୍ବାଧୀନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ରାଇରଙ୍ଗପୁର ଉପଖଣ୍ଡରେ ଗୋଟିଏ ମାତ୍ର ଇସ୍ପାତ ଶିଳ୍ପର ପ୍ରତିଷ୍ଠା ହୋଇ ପାରିନାହିଁ । ଯାହିକୁ ନେଇ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଏହା ମଧ୍ୟ ପଢନ୍ତୁ..ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ
ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତ ଅଧିନସ୍ଥ ଅଞ୍ଚଳରେ ରୁଙ୍ଗଟା ମେଟାଲ୍ସକୁ ଏକ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ନେଇ ଅନୁମୋଦନ ମିଳିଥିଲା । ହେଲେ କିଛି ବ୍ୟକ୍ତି ଏହାର ବିରୋଧ କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଫଳରେ ଅଞ୍ଚଳରେ ରୁଙ୍ଗଟା ମେଟାଲ୍ସ ଦ୍ବାରା ହେବାକୁ ଥିବା ଇସ୍ପାତ ଶିଳ୍ପ ପ୍ରତିଷ୍ଠାରେ ଗୋଟିଏ ପ୍ରକାର ରୋକ୍ ଲାଗିଯାଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । କାରଣ ଶିଳ୍ପ ପ୍ରତିଷ୍ଠାନ ହେଲେ ଅଧିକାଂଶ ଗରିବ ଖଟିଖିଆ ଯେଉଁମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ସେମାନେ ନିଜ ଅଞ୍ଚଳରେ ରୋଜଗାର ପାଇବେ । ଏହାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପୁରୁଣାପାଣି ଗ୍ରାମପଞ୍ଚାୟତର ଆନନ୍ଦପୁର, କଣ୍ଟାବଣୀ ଓ ଦାଣ୍ଡବୋଷ ଗ୍ରାମର ମଧ୍ୟ ଭାଗରେ ଶିଳ୍ପ ପ୍ରତିଷ୍ଠା କାର୍ଯ୍ୟ ପୁନଃ ଆରମ୍ଭ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ..ଖଣି ମାଫିଆଙ୍କ ଘରେ ରାତି ଅଧିଆ ରେଡ଼, 19 ଲକ୍ଷ ଜବତ କଲା ପୋଲିସ
ଏହି ତିନୋଟି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ରାଇରଙ୍ଗପୁର କଚେରୀ ପଡିଆରୁ ବାହାରି ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଏଥି ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ସହ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ଏବଂ ଦାଦନ ମୁକ୍ତ ଅଞ୍ଚଳ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ଗ୍ରାମବାସୀ । ତେବେ ଶିଳ୍ପ ପ୍ରତିଷ୍ଠା ନେଇ ଯଥାଶୀଘ୍ର କୌଣସି ନିଷ୍ପତ୍ତି ସରକାରଙ୍କ ଦ୍ବାରା ଗ୍ରହଣ କରାନଗଲେ, ଏହି ଅଞ୍ଚଳରୁ ଲୌହ ପଥରକୁ ପରିବହନ ରୋକ୍ ଲଗାଯିବ । ଏହାସହ ଚରମ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ମୟୂରଭଞ୍ଜ