ରାଇରଙ୍ଗପୁର: ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଅଧିକାଂଶ ଦିନ ମଦ୍ୟପାନ କରି ପ୍ରଧାନ ଶିକ୍ଷକ ସ୍କୁଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ତରାମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଲିଆବେଡା ଗ୍ରାମବାସୀ ଏଭଳି ଅଭିଯୋଗ ଆଣିଛନ୍ତି । ବାଲିଆବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରତ୍ତୋମ ନାଏକ ମଦ ପିଇ ସ୍କୁଲ ଆସୁଛନ୍ତି ।
ସୂଚନା ମୁତାବକ, ବାଲିଆବେଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଶତ ପ୍ରତିଶତ ଛାତ୍ର ଆଦିବାସୀ ବର୍ଗର । ଉକ୍ତ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ୨ ଜଣ ଶିକ୍ଷକ ରହିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାୟ ୪ ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତି ପାଇଥିବା ବେଳେ ସେ ଅଧିକାଂଶ ଦିନ ମଦ୍ୟପାନ କରି ବିଦ୍ୟାଳୟକୁ ଆସୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ବିଦ୍ୟାଳୟ ପରିଚାଳନା କମିଟି ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ ସମ୍ପର୍କରେ ମୌଖିକ ଭାବରେ ଜଣାଇ ଆସିଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଫଳ ଶୂନ୍ୟ ରହିଛି ।
ଏହା ମଧ୍ୟ ପଢନ୍ତୁ- ସ୍କୁଲରେ ମଦ ନିଶାରେ ମାତାଲ ପ୍ରଧାନ ଶିକ୍ଷକ, ଖୁବଶୀଘ୍ର ବିଭାଗୀୟ କାର୍ଯ୍ୟାନୁଷ୍ଠାନ !
ଏହା ମଧ୍ୟ ପଢନ୍ତୁ- Watch: ମଦ ପିଇ ମାତାଲ ଶିକ୍ଷକ, ଅଭିଭାବକଙ୍କ ଅସନ୍ତୋଷ
କିନ୍ତୁ ପ୍ରଧାନ ଶିକ୍ଷକ ଜଣକ ସେହିପରି ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥାନ୍ତି । ଏନେଇ ଏକ ମାସ ପୂର୍ବରୁ ଗ୍ରାମବାସୀ ମାନେ ବିଦ୍ୟାଳୟରେ ବୈଠକ କରି ଶିକ୍ଷକଙ୍କୁ ନେଇ ତାଗିଦ ମଧ୍ୟ କରିଥିଲେ । ଏଥିସହ ପରେ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀଙ୍କ ନିକଟରେ ଅଭିଯୋଗ କରିଥଲେ । ଅଭିଯୋଗର କିଛି ଦିନ ପରେ ଦିନେ ବିଦ୍ୟାଳୟ ପରିଦର୍ଶନରେ ସରପଞ୍ଚ ଯାଇଥିଲେ । ଶିକ୍ଷକଙ୍କ ଏତାଦୃଶ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବିଡ଼ିଓ ଓ ବିଇଓଙ୍କୁ ସରପଞ୍ଚ ଅବଗତ କରାଇଥିଲେ । ତେବେ ଶିକ୍ଷକଙ୍କ ମଦ୍ୟପାନ ନେଇ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଠାକୁରମୁଣ୍ଡା ବିଇଓ ରାମଚନ୍ଦ୍ର ନାଏକ କହିଛନ୍ତି ଯେ, ଶିକ୍ଷକଙ୍କ ସମ୍ପର୍କରେ ଅଭିଯୋଗ ତାଙ୍କୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ତାଙ୍କର ଦରମା ବନ୍ଦ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ରାଇରଙ୍ଗପୁର