ବାରିପଦା: ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଯୁବକଙ୍କୁ ପ୍ୟାଣ୍ଟ ସାର୍ଟ ଖୋଲି କାନ ଧରି ଉଠବସ କରାଇବା ଘଟଣା । ସେ ପୁଣି ପୁଲିସଙ୍କ ଉପସ୍ଥିତିରେ । ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ଏହା ଘଟିଥିବାବେଳେ ଏହି ସମୟରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୟୂରଭଞ୍ଜ ଏସପି । ଏନେଇ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଦର୍ଶକ ସାଜିଥିବା ଦୁଇ ପୋଲିସ କର୍ମଚାରୀଙ୍କୁ ମୟୂରଭଞ୍ଜ ଏସପି ନିଲମ୍ବିତ କରିଛନ୍ତି ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରରେ ମଙ୍ଗଳବାର ରାତିରେ ଜଣେ ଯୁବକଙ୍କୁ ରାସ୍ତା ମଝିରେ ଶହଶହ ଲୋକଙ୍କ ସମ୍ମୁଖରେ ପୋଲିସ ଉପସ୍ଥିତିରେ ଉଦୟକର ନାମକ ଜଣେ ବ୍ୟକ୍ତି ଜଣେ ଯୁବକଙ୍କ ପ୍ୟାଣ୍ଟସାର୍ଟ ଖୋଲି ଉଠ ବସ କରାଇଲେ।
କାରଣ ଉକ୍ତ ଯୁବକ ଜଣକ ବାଲେଶ୍ବରରେ ରହି କାମ କରୁଥିବାବେଳେ ଅନେକ ସମୟରେ ଉଦୟକରଙ୍କ ମୋବାଇଲକୁ ଅଶ୍ଳୀଳ ମ୍ୟାସେଜ ଓ ଭିଡ଼ିଓ ପଠାଉଥିଲେ । ତେବେ ମଙ୍ଗଳବାର ଯୁବକ ଜଣଙ୍କ ଉଦଳା ଆସିଥିବା ଜାଣିପାରି ତାକୁ ବିଚ ରାସ୍ତାରେ ପ୍ୟାଣ୍ଟ ସାର୍ଟ ଖୋଲି କାନ ଧରି ଉଠବସ କରାଇଥିଲେ । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଖବରପାଇ ଉଦଳା ଥାନାର ଏସଆଇ ବିଜୟ କୁମାର ମୁର୍ମୁ ଓ ଥାନା ଗାଡି ଚାଳକ ଚନ୍ଦ୍ରକାନ୍ତ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ଯୁବକ ଜଣଙ୍କ କାନ ଧରି ଉଠବସ ହେଉଥିବା ଦେଖିବାକୁ ମିଳିଥିଲା। ଘଟଣା ଥାନାରେ ରଫାଦଫା ମଧ୍ୟ ହେଇଥିଲା, ତେବେ ଭାଇରାଲ ଭିଡ଼ିଓକୁ ନେଇ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଉଦୟକରଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ମୟୂରଭଞ୍ଜ ଏସପି ଘଟଣାକୁ ଗୁରୁତର ସହ ନେଇ ଉଦଳା ଥାନାର ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସଆଇ ବିଜୟ କୁମାର ମୁର୍ମୁ ଓ ଥାନା ଗାଡି ଚାଳକ ଚନ୍ଦ୍ରକାନ୍ତ ପଣ୍ଡାକୁ ନିଲମ୍ବିତ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ