ବାରିପଦା: ଟଙ୍କା ଦିଅ କାମ ନିଅ, ପିସି ନାହିଁ ତ କାମ ବି ନାହିଁ । ଜେଇଙ୍କ ଠାରୁ ଆରମ୍ଭ କରି ପିଅନ ପର୍ଯ୍ୟନ୍ତ ଲାଞ୍ଚ ନ ଦେଲେ ଏଠି କିଛି ବି କାମ ହୁଏନି । ଏକଥା ଆମେ କହୁନୁ, ଖୋଦ ବାରିପଦା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ କ୍ୟାସିୟର କହୁଛନ୍ତି । ଏଭଳି କାମ ପାଇଁ ଟଙ୍କା କାରବାରର କଥା କହୁଥିବା ସରକାରୀ କର୍ମଚାରୀଙ୍କ ବାର୍ତ୍ତାଳାପର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଭିଡ଼ିଓରେ ଆପଣମାନେ ସ୍ପଷ୍ଟ ଭାବେ ଦେଖିପାରୁଥିବେ ବିଡା ବିଡା ଟଙ୍କା ସହ କ୍ୟାସିଅର ବାବୁ କେମିତି ଲାଞ୍ଚ ନେବା ପାଇଁ ଜିଦ ଧରିଛନ୍ତି । ଅନ୍ୟପଟେ ଭାଇରାଲ ହୋଇଥିବା ଭିଡ଼ିଓଟି ଦୁଇ ବର୍ଷ ତଳର ବୋଲି କହିଛନ୍ତି ଅଧିକାରୀ। ଏହି ଭିଡ଼ିଓଟି ଠିକାଦାର ସଚ୍ଚିଦାନନ୍ଦ ଧଳ ଟେଣ୍ଡର ଟଙ୍କା ଦେବା ସମୟରେ ଉତ୍ତୋଳନ କରିଥିଲେ ଏବଂ ଭିଡ଼ିଓରେ ଅଡିଓ ଏଡିଟିଙ୍ଗ କରାଯାଇ ଭାଇରାଲ କରାଯାଇଛି ବୋଲି ଠିକାଦାର ସଫେଇ ଦେଇଛନ୍ତି । ଆରଡବ୍ଲୁଏସଏସ ଅଫିସର ନିର୍ବାହୀ ଯନ୍ତ୍ରୀ ମଧ୍ୟ ଭିଡ଼ିଓରେ ସତ୍ୟତା ନ ଥିବା କହିଛନ୍ତି ।
ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ୟାସିଅର ସମସ୍ତେ ଭାଇରାଲ ଭିଡ଼ିଓ ଦେଖି ନିଜକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବାବେଳେ ଭାଇରାଲ ଭିଡ଼ିଓର ସତ୍ୟାସତ୍ୟାକୁ ନେଇ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ