ବାରିପଦା: ଆଦିବାସୀ ଛାତ୍ରଙ୍କ ନାଁରେ କୋଟି କୋଟି ଟଙ୍କାର ଷ୍ଟଡି ଲୋନ କରିବା ଘଟଣାରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଇଞ୍ଜିନିଅରିଂ କଲେଜ ଛାତ୍ର । କଲେଜ କର୍ତ୍ତୃପକ୍ଷ ଛାତ୍ରଙ୍କ ଅଜାଣତରେ ଟଙ୍କା ଲୋନ କରିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାପରେ ବୁଧବାର ପୁଣି 26 କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କୁ ନ୍ୟାୟ ମାଗିବାକୁ ଯାଇଥିଲେ ଏହି ଇଞ୍ଜିନିଅରିଂ କଲେଜ ଛାତ୍ର ।
ମୟୂରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ପାଟପୁରରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜ ଏସଏସବି ରିଜିଓନାଲ ଇନଷ୍ଟିଟ୍ୟୁସନ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲଜିରେ ଛାତ୍ରଙ୍କ ଅଜାଣତରେ ଷ୍ଟଡିଲୋନ ଉଠାଯାଇଥିଲା । ଏହା ବିରୋଧରେ ମୋରଡ଼ା ଥାନାରେ ଅଭିଯୋଗ ପରେ କଲେଜର ୧୦୦ ରୁ ଊର୍ଦ୍ଧ୍ବ ଛାତ୍ର ନ୍ୟାୟ ପାଇଁ ପାଟପୁରରୁ ବାରିପଦା ଜିଲ୍ଲାପାଳ ଅଫିସକୁ ପ୍ରାୟ ୨୬ କିଲୋମିଟର ଚାଲି ଚାଲି ପହଞ୍ଚିଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରମାନଙ୍କୁ ବୁଝାଇ ଥିଲେ ମଧ୍ୟ ପିଲାମାନେ ନିଜ ଜିଦରେ ଅଟଳ ରହି ଚାଲି ଚାଲି ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲା ପ୍ରଶାସନର କଡା ସୁରକ୍ଷା ବଳୟ ଭିତରେ ଛାତ୍ରମାନେ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲାପାଳ ମଧ୍ୟ ଛାତ୍ରମାନଙ୍କ ଅଭଯୋଗ ଶୁଣିବା ସହ ତଦନ୍ତ ପରେ ନ୍ୟାୟ ପାଇଁ ପ୍ରତିଶୃତି ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଭିନୀତ ଭରଦ୍ବାଜ ତିନିଜଣିଆ କମିଟି ଗଠନ କରିବା ସହ ସାତ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଛାତ୍ର ମାନେ ଚାଲି ଚାଲି ଆସିବାକୁ ନେଇ ଜିଲ୍ଲାପାଳ ଅସନ୍ତୁଷ୍ଟ ପ୍ରକାଶ କରିଥିବା ବେଳେ ଭବିଷ୍ୟତରେ କୌଣସି ଛାତ୍ରଛାତ୍ରୀ ଏପରି ଚାଲି ଚାଲି ନଆସିବାକୁ ପରାମର୍ଶ ଦେଇଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ