ବାରିପଦା: ଆସନ୍ତାକାଲି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ମୟୂରଭଞ୍ଜର ସମୂହ ଆଦିବାସୀ ସଙ୍ଗଠନ । ରିତୟିନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ନିର୍ଯ୍ୟାତନାର ଶିକାର ହୋଇଥିବା ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ସହ ମାଡ ମାରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ ।
ମୟୂରଭଞ୍ଜ ଜିଲ୍ଲା ବାଇଗଣବାଡିଆରେ ଥିବା ଏକ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ର ମାନଙ୍କୁ ମାଡ଼ ମରାଯିବା ସହ ବିଭିନ୍ନ ପ୍ରକାରର ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଛାତ୍ରମାନଙ୍କର ଭବିଷ୍ୟତ ସହ ଖେଳିଥିବା ବେଆଇନ ଶିକ୍ଷାନୁଷ୍ଠାନକୁ ସିଲ୍ କରିବା ପାଇଁ ଦାବି ହୋଇଛି । ଏହା ସହିତ ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ପାଠ ପଢିବାର ସୁଯୋଗ ଦିଆଯିବା ଦାବିରେ ଆସନ୍ତାକାଲି(ବୁଧବାର) ଜିଲ୍ଲା ସମୂହ ଆଦିବାସୀ ସଙ୍ଗଠନ ଦ୍ବାରା ୧୨ ଘଣ୍ଟିଆ (ସକାଳ ୬ରୁ ସନ୍ଧ୍ୟା୬ ପର୍ଯ୍ୟନ୍ତ) ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି ।
ଏଥିରେ ମାସା ଆର୍ମି ଓଡ଼ିଶା, ଭଞ୍ଜସେନା, ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା, ପେସା ଗ୍ରାମସଭା, ଜେ.ଏମ.ଏମ, ବାସା, ମାଝୀପାରଗାନା ସେମଲେଦ, ଦଳିତ ଆଦିବାସୀ ସଙ୍ଘ, ଆମ ଆଦମି ପାର୍ଟି, ଓଡିଶା ଆଦିବାସୀ ଅଧିକାର ମଞ୍ଚ, ଆସେକା, ଆଦିବାସୀ ସଙ୍ଗେଲ ଅଭିଯାନ, ଆଶା ଏବଂ ପ୍ରମୁଖ ଆଦିବାସୀ ସଙ୍ଗଠନ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ତେବେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟୀ ପ୍ରତିଷ୍ଠାନ, ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ଆଦି ବନ୍ଦ କରାଯିବା ସହିତ ସମସ୍ତ ଯାନବାହନ, ବସ, ଟ୍ରେନ ଚଳାଚଳ ଆଦି ବନ୍ଦ କରାଯିବ ବୋଲି ଆହ୍ଵାନ ଦିଆଯାଇଛି ।
ଇଟିଭି ଭାରତ, ମୟୂରଭଞ୍ଜ