ରାଇରଙ୍ଗପୁର: ଉତ୍ତରାଖଣ୍ଡ ଉତ୍ତରକାଶୀ ୟମୁନେତ୍ରୀଠାରେ ଟନେଲ ଭୁଶୁଡ଼ିବା ଘଟଣା । ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ମଧ୍ୟରୁ ୫ ଜଣ ଓଡ଼ିଆ ରହିଛନ୍ତି । ତନ୍ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ୩ ଜଣ ଶ୍ରମିକ ବୋଲି ଜଣାପଡ଼ିଛି । ସଦ୍ୟ ସୂଚନା ଅନୁସାରେ ଉଦ୍ଧାରକାରୀ ଟିମ ଟନେଲର ୨୫ ମିଟର ପର୍ଯ୍ୟନ୍ତ ଯାଇଥିବା ବେଳେ ଏବେ ଆଉ ୩୫ ମିଟର ଭଗ୍ନାବଶେଷ ସଫା କରିବା ବାକି ରହିଛି । ଏହାପରେ ଉଦ୍ଧାରକାରୀ ଟିମ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ । ସେପଟେ ପାଇପ ଯୋଗେ ଶ୍ରମିକଙ୍କ ନିକଟକୁ ଅମ୍ଲଜାନ ଓ ଖାଦ୍ୟ ପଦାର୍ଥ ପଠାଯାଇଛି ।
ଫସି ରହିଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢାକୁଦର ଗ୍ରାମର ଧୀରେନ, ଯୋଗୀବନ୍ଧ ଗ୍ରାମର ବିଶେଶ୍ବର ନାଏକ ଏବଂ ତିରିଂ ଥାନା ଝରାଡିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲଡିହା ଗ୍ରାମର ରାଜୁ ନାଏକ । ତେବେ ଟନେଲ ମଧ୍ୟରେ ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଖବର ମିଳିଛି । ଫସି ରହିଥିବା ଶ୍ରମିକଙ୍କ ପାଇଁ ଟନେଲରେ ଅମ୍ଳଜାନ ଓ ଖାଦ୍ୟ ଯୋଗାଇ ଦିଆଯାଇଥିବା ସୂଚନା ରହିଛି । ଯଥାଶୀଘ୍ର ସମସ୍ତଙ୍କୁ ସକୁଶଳ ଉଦ୍ଧାର କରାଯିବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ଏହା ବି ପଢନ୍ତୁ- Tunnel Tragedy: ଉଦ୍ଧାରକାର୍ଯ୍ୟ ଜାରି, ଶ୍ରମିକଙ୍କ ପାଖକୁ ପାଇପ ଯୋଗେ ଗଲା ଖାଦ୍ୟ ଅମ୍ଳଜାନ
ତେବେ ଏ ସମ୍ପର୍କରେ ଖବର ପାଇ ଆମ 'ଇଟିଭି ଭାରତ' ପ୍ରତିନିଧି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲଡିହା ଗ୍ରାମ ସ୍ଥିତ ରାଜୁ ନାଏକ ଘରକୁ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ତେବେ ରାଜୁ ନାଏକଙ୍କ ବାପା ମୁଚିରାମ ନାଏକ ଓ ତାଙ୍କ ପରିବାର ଲୋକେ ପୁଅକୁ ନେଇ ଚିନ୍ତାରେ ବୁଡିଛନ୍ତି । ପୁଅ ଟନେଲରେ ଫସିଥିବା ଖବର ରାଜୁର ସାଙ୍ଗସାଥୀଙ୍କଠାରୁ ଶୁଣିବା ପରେ ବାପା, ମାଆ, ଭାଇ, ଭଉଣୀ ଓ ଜେଜେମା ଚିନ୍ତିତ ହୋଇ ପଡ଼ିଛନ୍ତି । ଘର ଭିତରେ ଗୋଟିଏ ପ୍ରକାର ଦୁଃଖର ବାତାବରଣ ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5
ଖବର ଶୁଣିବା ପରଠାରୁ ଘରେ ଚୁଲି ଜଳିନଥିବା ବେଳେ ଖାଇବା ପିଇବା ମଧ୍ୟ ବନ୍ଦ ହୋଇଯାଇଛି । ରାଜୁର ଜେଜେମାଆଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଶୀଘ୍ର ନାତିକୁ ଫେରାଇ ଆଣିବା ଲାଗି ସେ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ସୂଚନା ଥାଉ କି ରବିବାର ଉତ୍ତରକାଶୀରେ ନିର୍ମାଣଧୀନ ସୁଡଙ୍ଗରେ ଭୂସ୍ଖଳନ ହୋଇଥିଲା । ଏହାପରେ ୬୦ ମିଟର ସୁଡଙ୍ଗ ମଧ୍ୟରେ କାର୍ଯ୍ୟରତ ଫସି ରହିଛନ୍ତି । ଏହି ଶ୍ରମିକମାନେ ୟୁପି, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ବୋଲି ଜଣାପଡ଼ିଛି ।
ଇଟିଭି ଭାରତ, ରାଇରଙ୍ଗପୁର