ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ ତିନି ଜଣ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ସଡକ ସୁରକ୍ଷା ସପ୍ତାହ ପାଳନ ହେବାର 7 ଦିନ ନ ପୂରୁଣୁ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ବୁଡାମରା- ଶଙ୍କରପୁର ରାସ୍ତାରେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ବାଇକ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ 3ଟି ନିରୀହ ଜୀବନ ଦୀପ ଲିଭି ଯାଇଛି ।
ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ସମୟରେ ଘାଗରବେଡା ଥାନା ବୁଡାମରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡାମରା-ଶଙ୍କରପୁର ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ବାଇକ ଓ ଗୋଟିଏ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଉଭୟ ବାଇକ ଓ ସ୍କୁଟି ଦୃତ ଗତି ଯୋଗୁଁ ଧକ୍କା ହୋଇଥିବା ଜଣାପଡିଛି ।
ଦୁର୍ଘଟଣା ଘଟିବାର କିଛି ସମୟ ପରେ ସେହି ବାଟ ଦେଇ ଯାଉଥିବା କିଛି ଲୋକେ ଏହା ଦେଖି ତୁରନ୍ତ ନିକଟସ୍ଥ ଘାଗରବେଡା ଥାନା ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ମୃତକ ହେଲେ ବୁଢାମରା ଗ୍ରାମର ରାଜକିଶୋର ମହାକୁଡଙ୍କ ପୁଅ ମାନସ ମହାକୁଡ, ମୁଟୁ ହୋଙ୍କ ପୁଅ ଆଲୋକ ହୋ ଓ ରାଇକଳା ଗ୍ରାମର ଫକିର ବେହେରାଙ୍କ ସାନପୁଅ ଜନ୍ମେଜୟ ବେହେରା । ଏହାସହ ଗୁରୁତର ଆହତ ଜଣକ ରାଇକଳା ଗ୍ରାମର ଜିତୁ ବେହେରା ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁୁ.....ବେଲପାହାଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ ଆରୋହୀ ମୃତ
ତେବେ ଘାଗରବେଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଏକ ଦୁର୍ଘଟଣା ମାମଲା ରୁଜୁ କରି ବାଇକ ଓ ସ୍କୁଟିକୁ ଜବତ କରିଛି । ଆସନ୍ତାକାଲି ତିନି ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ବୁଡାମରା ଓ ରାଇକଳା ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଇଟିଭି ଭାରତ, ମୟୂରଭଞ୍ଜ