ରାଇରଙ୍ଗପୁର: ପୁଣି ଖଟିଆରେ ବୁହା ହେଲେ ରୋଗୀ । ଏଯାଏଁ ଗାଁକୁ ସଂଯୋଗ ହୋଇ ନାହିଁ ପକ୍କା ରାସ୍ତା । ସମାଜର ମୁଖ୍ୟ ସ୍ରୋତଠାରୁ ବହୁ ଦୂରରେ ଏଇ ଗାଁ । ଏ କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ପଞ୍ଚାୟତର ଅସନବଣି ଗାଁରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ ଦୃଶ୍ୟ ।
ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୨ କି.ମି ରାସ୍ତା ଖାଲଖମା ସହିତ କାଦୁଅ ପଚପଚ ଯାହାକୁ ନେଇ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବାରମ୍ବାର ସରକାର ପରେ ସରକାର ବଦଳିଥିଲେ ମଧ୍ୟ ଏଇ ଗାଁକୁ ଖଣ୍ଡିଏ ଭଲ ରାସ୍ତା ନିର୍ମାଣ ହୋଇ ପାରିଲା ନାହିଁ । ଯାହା ଫଳରେ ସାମନ୍ୟ ଜ୍ବର କିମ୍ବା ଦେହ ଖରାପ ହେଲେ ଖଟିଆରେ ୨ କିଲୋମିଟରରୁ ଅଧିକ ରାସ୍ତା ରୋଗୀ ବୁହା ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି ।
ଗାଁର ସୀତା ମାରାଣ୍ଡି ଅସୁସ୍ଥ ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଅସନବଣୀ ଗ୍ରାମକୁ ଯାଇ ପାରି ନଥିଲା ଫଳରେ ପରିବାର ଲୋକେ ପାଖାପାଖି ୨ / ୩ କିଲୋମିଟର ଖଟିଆରେ ଆଣିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ଏପରି ସମସ୍ୟା ଦୀର୍ଘ ଦିନରୁ ଲାଗି ରହିଥିଲେ ବି କୌଣସି ନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗ୍ରାମ ପ୍ରତି ପଡି ପାରୁନାହିଁ । ଫଳରେ ଗ୍ରାମର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ୪୨୦ରୁ ଅଧିକ ପରିବାର ରହିଥିଲେ ମଧ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଆସୁଛନ୍ତି ଏଇ ଆଦିବାସୀ ପରିବାର । ତେବେ ଏପରି ସମସ୍ୟାରୁ କେବେ ମୁକ୍ତି ମିଳୁଛି ତାହା ଦେଖିବା ପାଇଁ ବାକି ରହିଲା ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ