ରାଇରଙ୍ଗପୁର: କୀଟନାଶକ ଖାଇ ଜୀବନ ହାରିଲେ ନାବାଳିକା । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କାଦୁଆଣୀ ଗ୍ରାମରେ । ମୃତ ନାବାଳିକା ଜଣକ କାଦୁଆଣୀ ଗ୍ରାମ ଚାତନା ସାହିର ରାଇସେନ ହେମ୍ବ୍ରମଙ୍କ 14 ବର୍ଷର ବଡ଼ଝିଅ ଲୁଦି ହେମ୍ବ୍ରମ ।
ସୂଚନା ଅନୁଯାୟୀ, ବାପା ରାଇସେନ ବିଲକୁ କାମ କରିବାକୁ ଯାଇଥିବା ସମୟରେ କୌଣସି କାରଣରୁ ଝିଅ ଘରେ କୀଟନାଶକ ଔଷଧ ଖାଇ ଦେଇଥିଲେ । ବାପା କାମରୁ ଫେରିବା ପରେ ଝିଅର ପାଟିରୁ ଫେଣ ବାହାରୁଥିବା ଦେଖି ତୁରନ୍ତ ତାଙ୍କୁ ବିଶୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ବିଶୋଇ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ