ରାଇରଙ୍ଗପୁର: ଜଲପା ନଦୀରୁ ମୃତଦେହ ଉଦ୍ଧାର ଘଟଣାରେ ନ୍ୟାୟ ପାଇଁ ଏସଡିପିଓଙ୍କ ଦ୍ବାରସ୍ଥ ହେଲେ ମୃତକଙ୍କ ପରିବାର । ପୋଲିସର ତଦନ୍ତରେ ଶିଥିଳତା ଯୋଗୁଁ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତେବେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଚିହ୍ନଟ କରି ଯଥାଶୀଘ୍ର ଗିରଫ କରିବା ପାଇଁ ପରିବାର ଲୋକଙ୍କ ପକ୍ଷରୁ ରାଇରଙ୍ଗପୁର ଏସଡିପିଓଙ୍କୁ ଏକ ମେମୋରେଣ୍ଡମ ପ୍ରଦାନ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ବଡହାତନାବେଡା ଗ୍ରାମର ଝୁମାଲ ତିରିୟା ଓରଫ କ୍ଷେତ୍ର ମୋହନ ଗତ ୬ ମାର୍ଚ୍ଚ ୨୦୨୧ ରେ ବୁଟଡାଳ (ବୁଟଗଛ) ବିକ୍ରି କରିବା ପାଇଁ ଧଡିଚୁଆ ଗ୍ରାମ ସ୍ଥିତ କାରଗିଲ ଛକକୁ ଯାଇଥିଲେ । କିନ୍ତୁ ସେହିଦିନ ସେ ଘରକୁ ଫେରି ନଥିବାରୁ ପରିବାର ଲୋକେ ସମସ୍ତେ ମିଶି ତାଙ୍କୁ ରାତି ସାରା ଖୋଜାଖୋଜି କରି ପାଇ ନଥିଲେ । ତାପର ଦିନ ଅର୍ଥାତ୍ ୭ ମାର୍ଚ୍ଚ ୨୦୨୧ ରେ ଝୁମାଲଙ୍କ ମୃତଦେହ ବଡହାତନାବେଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିକଟ ଜଲପା ନଦୀରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଘର ଲୋକଙ୍କୁ ଖବର ଦେଇଥିଲେ ।
ଖବର ପାଇ ବାଦାମପାହାଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ତେବେ ଆଜିକୁ ୨୭ ଦିନ ବିତିଯାଇଥିଲେ ସୁଦ୍ଧା ପୋଲିସର ହାତରେ କୌଣସି ସୁରାକ ଲାଗି ପାରିନାହିଁ । ଯାହାଫଳରେ ମୃତକଙ୍କ ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ରାଇରଙ୍ଗପୁର ଏସଡିପିଓ ଗାୟତ୍ରୀ ପ୍ରଧାନଙ୍କୁ ଭେଟି ଏକ ମେମୋରେଣ୍ଡମ ପ୍ରଦାନ କରିଛନ୍ତି । ତା ସହିତ ଏହି ହତ୍ୟା ଘଟଣାର ବିଧିବଦ୍ଧ ଭାବେ ତଦନ୍ତ କରି ଯେଉଁମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଦୋଷୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ପରିବାରବର୍ଗ ଦାବି କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ