ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ମଙ୍ଗଳବାରଠାରୁ ଟାଟା-ବାଦାମପାହାଡ଼ ଡିଇଏମୟୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । କୋରୋନା ମହାମାରୀ ତଥା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘ ୧୧ ମାସ ହେବ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ତେବେ ପୁଣି ଟ୍ରେନ ଚଳାଚଳ ଆରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିବା ଦେଖିବାକୁ ମିଳିଛି ।
ମଙ୍ଗଳବାରଠାରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବା ବେଳେ ପୂର୍ବ ପରି ସକାଳ ୬ଟା ସମୟରେ ଝାଡ଼ଖଣ୍ଡର ଟାଟାନଗର ରେଳଷ୍ଟେସନରୁ ବାହାରି ବହଳଦା ରୋଡ଼, ଅଁଳାଯୋଡି, ଗୋରୁମହିଷାଣୀ ଷ୍ଟେସନ ଦେଇ ସକାଳ ୯ଟା ୨୩ ମିନିଟରେ ରାଇରଙ୍ଗପୁର ଷ୍ଟେସନ ପହଞ୍ଚିଥିଲା । ଏହାପରେ ରାଇରଙ୍ଗପୁର ଷ୍ଟେସନରୁ ବାହାରି କୁଲଡ଼ିହା, ଛଣୁଆ ଷ୍ଟେସନ ଦେଇ ଦିନ ୧୦ଟା ୧୫ ମିନିଟରେ ବାଦାମପାହାଡ ଷ୍ଟେସନରେ ପହଞ୍ଚିଛି ।
ତେବେ ଭୋର ସକାଳୁ ଚାଲୁଥିବା ଦ୍ବିତୀୟ ଟ୍ରେନଟିର ଚଳାଚଳ ବନ୍ଦ ରହିଛି । ସେପଟେ ଦ୍ବିତୀୟ ଟ୍ରେନଟି ବାଦାମପାହାଡରୁ ଟାଟା ନଗର ଷ୍ଟେସନ ଦେଇ ରାଉରକେଲା ଷ୍ଟେସନ ପର୍ଯ୍ୟନ୍ତ ଯାତାୟାତ କରିବା ପାଇଁ ସାଧାରଣରେ ଦାବି ହେବା ସହିତ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୁର୍ତ୍ତି ଦାବି କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ