ରାଇରଙ୍ଗପୁର: କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଉତ୍ତେଜନା । ଅଧ୍ୟାପକ ସାମ୍ପ୍ରଦାୟିକ ବିଦ୍ବେଷକାରୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି କଲେଜ ପରିସରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଧାରଣା । ଛାତ୍ରଛାତ୍ରୀଙ୍କୁ ବୁଝାଇବାରେ ଅଧ୍ୟକ୍ଷ ବିଫଳ ହେବାପରେ ପିଲାଙ୍କ ଗହଣରେ କ୍ଷମା ପ୍ରାର୍ଥନା କରିଛନ୍ତି ସମ୍ପୃକ୍ତ ଅଧ୍ୟାପକ ।
ମିଳିଥିବା ସୂଚନା ଅନୁସାରେ ଗତ ୪ ତାରିଖ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମୟରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ବିଜୟ ମାରାଣ୍ଡି ଓ କିଛି ଛାତ୍ରଙ୍କ ଭିତରେ ନିଜ ନିଜ ସମ୍ପ୍ରଦାୟର ଭଜନ ଗୀତ ବଜେଇବାକୁ ନେଇ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଅଧ୍ୟାପକ ଜଣକ ଛାତ୍ରମାନଙ୍କୁ କେନ୍ଦ୍ର କରି ପରିସର ମଧ୍ୟରେ ଥିବା ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେବା କଥା କହିଥିଲେ । ଏହାସହ ବିଶେଷ ଭାବେ ହିନ୍ଦୁ ସମ୍ପ୍ରଦାୟକୁ ନେଇ ଆକ୍ଷେପମୂଳକ ତଥା ଆକ୍ରୋଶମୂଳକ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ ।
ସେପଟେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଏନେଇ ପଚାରିବାରୁ କହିଛନ୍ତି, "ଶିକ୍ଷାନୁଷ୍ଠାନରେ ବିଭିନ୍ନ ସମ୍ପ୍ରଦାୟର ପିଲା ପାଠ ପଢ଼ୁଥିବାରୁ ଭିନ୍ନଭିନ୍ନ ସମ୍ପ୍ରଦାୟର ଗୀତ ପୂର୍ବରୁ ବାଜୁଥିଲା । ଯେହେତୁ ମୁଁ ନିଜେ ସାନ୍ତାଳ ସମ୍ପ୍ରଦାୟରୁ ଆସିଛି ଓ କଲେଜରେ ବହୁଳ ଭାବେ ସାନ୍ତାଳ ସମ୍ପ୍ରଦାୟର ପିଲା ପାଠ ପଢୁଛନ୍ତି, ତେଣୁ କିଛି ସମୟ ପାଇଁ ସାନ୍ତାଳ ଭଜନ ବଜା ଯାଇଥିଲା ।" କିନ୍ତୁ ଦେବାଦେବୀଙ୍କ ମୂର୍ତ୍ତି ଭାଙ୍ଗିବା ନେଇ କୌଣସି ମନ୍ତବ୍ୟ ଦେଇନି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଧ୍ୟାପକ ବିଜୟ ମାରାଣ୍ଡି । ସେହିପରି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରୁ ଏକ ଉଚ୍ଚସ୍ତରୀୟ ନିରପେକ୍ଷ କମିଟି ଗଠନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।
ଇଟିଭି ଭାରତ, ମୟୂରଭଞ୍ଜ