ରାଇରଙ୍ଗପୁର: ବିଦ୍ୟାଳୟ ମରାମତି ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବାଘିଆଟାଙ୍ଗର ଗ୍ରାମରେ । ମରାମତି ଦାବିରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ ।
ସୂଚନା ଅନୁଯାୟୀ, ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି ଛାତ୍ରଛାତ୍ରୀ । ବାଘିଆଟାଙ୍ଗର ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ ବିଦ୍ୟାଳୟ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରନ୍ତି। ତେବେ ବହୁ ପୁରାତନ ସ୍କୁଲ ହୋଇଥିବାରୁ ଶ୍ରେଣୀ ଗୃହ ଗୁଡିକର ମରାମତି ଆବଶ୍ୟକ ହୋଇ ପଡିଛି । ଶ୍ରେଣୀ ଗୃହ ଛାତରୁ ବର୍ଷା ହେଲେ ପାଣି ପଡ଼ିବା ସହିତ ସିମେଣ୍ଟ ପ୍ଲାଷ୍ଟର ମଧ୍ୟ ଖସି ପଡୁଛି । ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ପାଠ ପଢାଉଥିବା ବେଳେ ତାଙ୍କ ମୁଣ୍ଡ ଉପରେ ସିମେଣ୍ଟ ପ୍ଲାଷ୍ଟର ଖସି ଯିବାରୁ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି ।
ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ମଧ୍ୟ ବିପଦପୂର୍ଣ୍ଣ ଭାବେ ସେହି ଶ୍ରେଣୀ ଗୃହରେ ଅଧ୍ୟୟନ କରୁଛନ୍ତି । ତେବେ ସ୍କୁଲ ମରାମତି ପାଇଁ ଟଙ୍କା ଆସିଥିଲା । ଏଥିସହ ପୂର୍ବରୁ ସ୍କୁଲକୁ ଜମି ଦାନ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ମାନେ ତାଙ୍କ ଜାଗାରେ ସ୍କୁଲ ନିର୍ମାଣ ହୋଇଥିବା କହି ମରାମତି କରିବାକୁ ଦେଉନଥିବା ମଧ୍ୟ ଅଭିଯୋଗ ହୋଇଛି । ଏପଟେ ସ୍କୁଲ ମରାମତି କାର୍ଯ୍ୟ ହେଉ ନଥିବା ଯୋଗୁଁ ଭୟଭୀତ ଛାତ୍ରଛାତ୍ରୀ ମାନେ ଅନ୍ୟତ୍ର ନୂତନ ସ୍କୁଲ କିମ୍ବା ଶ୍ରେଣୀ ଗୃହ ମରାମତି ଦାବିରେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଥିଲେ । ରାସ୍ତା ଉପରେ ବସି ରାଇରଙ୍ଗପୁର- ବାରିପଦା ଭାୟା ବିଜାତଳା ଦେଇ ଯାଇଥିବା ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଦୁଇ ପଟରୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ତେବେ ଖବର ପାଇ ବିଜାତଳା ଅତିରିକ୍ତ ତହସିଲଦାର, ଆରଆଇ ଓ ବିଜାତଳା ବିଇଓ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ବୁଝାସୁଝା କରିଥିବା ନେଇ ସୂଚନା ରହିଛି ।
ଏନେଇ ଶିକ୍ଷୟିତ୍ରୀ ରୀନା ଦାସ କହିଛନ୍ତି, " ଆମର ବିଦ୍ୟାଳୟ ନିର୍ମାଣ ପାଇଁ ଟଙ୍କା ଆସିଥିଲା । କିନ୍ତୁ ନିର୍ମାଣ କରୁ ନାହାନ୍ତି । ଏନେଇ ଛାତ୍ରଛାତ୍ରୀ ମାନେ ବହୁତ ହଇରାଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ଶ୍ରେଣୀ ଅଭାବରୁ ଗୋଟିଏ ଶ୍ରେଣୀ 4ରୁ 5ଟି ଶ୍ରେଣୀର ପିଲା ଏକାଠି ବସିକି ପଢିବାରୁ ଠିକ ସେ ପାଠ ପଢିପାରୁ ନାହାନ୍ତି । ଏଥି ପାଇଁ ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି । "
ଇଟିଭି ଭାରତ, ରାଇରଙ୍ଗପୁର