ବାରିପଦା: ପାରିବାରିକ କଳହର କରୁଣ ପରିଣତି । ପୁଅ ଭୁଲିଗଲା ରକ୍ତ ସମ୍ପର୍କ । ମୟୂରଭଞ୍ଜରେ ପୁଅର ବର୍ବରକାଣ୍ଡ । ବାପାକୁ ଗୁଳିକରି ହତ୍ୟାକଲା ପୁଅ । ପାରିବାରିକ କଳହରୁ ବାପାକୁ ଗୁଳିକରି ହତ୍ୟା କଲା ପୁଅ(Son Killed His Father)। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କାଶୀକୁଣ୍ଡଳ ଗ୍ରାମରେ ।
ଖବର ଅନୁସାରେ, କାଶୀ କୁଣ୍ଡଳ ଗ୍ରାମର ଟିଲୁ ନାୟକ ଓ ତାଙ୍କ ପୁଅ କୈଳାସଙ୍କ ମଧ୍ୟରେ କୌଣସି ଘରୋଇ କାରଣକୁ ନେଇ ଝଗଡ଼ା ହୋଇଥିଲା । ପରେ ଝଗଡା ଉଗ୍ରରୂପ ଧାରଣ କରିଥିଲା । ପୁଅ କୈଳାସ ହଠାତ ରାଗିଯାଇ ଜଙ୍ଗଲରେ ଶିକାର ପାଇଁ ରଖିଥିବା ବନ୍ଧୁକରେ ଗୁଳିକରି ବାପାକୁ ହତ୍ୟା କରିଥିବା ସୂଚନା ରହିଛି । ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ପିତୃହନ୍ତା କେଉଁଆଡ଼େ ଫେରାର ହୋଇଯାଇଥିବା ସୂଚନା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ: ବାପାକୁ ହତ୍ୟା ପରେ 2 ଦିନ ଲୁଚାଇ ରଖିଲା ମୃତଦେହ
ଏନେଇ ପଡୋଶୀ କହିଛନ୍ତି, "ମୁଁ ହାଟରୁ ଘରକୁ ଫେରିଥିଲି । ଏହି ସମୟରେ ଢୋ କରି ଗୋଟେ ସାଉଣ୍ଡ ହୋଇଥିଲା । ଆଉ ତାପରେ ସେ ଧାଇଁ ଆସି କହିଲା ମୁଁ ବାପାକୁ ମାରିଦେଲି ।" ସେହିପରି ମୃତକଙ୍କ ସମ୍ପର୍କୀୟ କହିଛନ୍ତି ଯେ, "ମୁଁ ପରିବା କାଟିବା ସମୟରେ ଢୋ କି ସାଉଣ୍ଡ ହୋଇଥିଲା । ମୁଁ ଯାଇକି ଦେଖିଲା ବେଳକୁ ଫାୟାରିଂ ହେଇସାରିଥିଲା । ସେତେବେଳକୁ ମୃତ୍ୟୁ ହୋଇସାରିଥିଲା । ହତ୍ୟାକାଣ୍ଡର କାରଣ ଜଣାନାହିଁ । ପୁଅ ବନ୍ଧୁକରୁ ଗୁଳି ଚଳାଇ ବାପାକୁ ଫାୟାରିଂ କରିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।"
ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଢ଼ଙ୍ଗା ମଲ୍ଲିକେଶ୍ବରପୁର ଗାଁରେ ମଧ୍ଯ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଥିଲା । ପୁଅ ହତ୍ୟା କରିଥିଲା ବାପାକୁ । ମାରଣାସ୍ତ୍ରରେ ବାପାକୁ ହତ୍ୟା କରିବା ପରେ ଘରେ 2 ଦିନ ଲୁଚାଇ ରଖିଥିଲା ପିଶାଚ ପୁଅ । ମଲ୍ଲିକେଶ୍ବରପୁର ଗାଁର ଶୁଭେନ୍ଦୁ ଭଦ୍ର ନିଜ ବାପା ଅଲେଖ ଭଦ୍ରଙ୍କୁ ହତ୍ୟା କରିଥିଲା । କୌଣସି କାରଣରୁ ପୁଅ ବାପାକୁ ହତ୍ୟା କରିବା ପରେ ଘରେ ଲୁଚାଇ ରଖିଥିଲା । ଘର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଅଲେଖ ଭଦ୍ରଙ୍କୁ ପାଇନଥିଲେ । ତେବେ ଦୁଇ ଦିନ ପରେ ଘରର ଏକ କୋଠରୀରୁ ଦୁର୍ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା । ପରେ ଅଲେଖଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଥିଲା ।
ଇଟିଭି ଭାରତ, ମୟୂରଭଞ୍ଜ