ରାଇରଙ୍ଗପୁର: ଜଙ୍ଗଲ ଏବଂ ଖାଲି ସ୍ଥାନରେ ସାପ ଦେଖାଯିବା ଏକ ସାଧାରଣ କଥା । କିନ୍ତୁ ଯେତେବେଳେ ଏହି ସାପ ଗାଁ ମଧ୍ୟରେ ବିଚରଣ କରନ୍ତି, ତେବେ ଲୋକଙ୍କ ଅବସ୍ଥା ଖରାପ ହୋଇଯାଏ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧୀନ ଘୁମାଳ ଗ୍ରାମ ନିକଟସ୍ଥ ଡୁଙ୍ଗୁରୀରେ । ସେଠାରେ ମାଳ ମାଳ ଅଜଗର ସାପ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି ।
ସୂଚନାନସାରେ, ଘୁମାଳ ଗ୍ରାମ ନିକଟସ୍ଥ ଡ଼ୁଙ୍ଗୁରୀରେ ଅଜଗର ସାପ ଥିବା ବେଳେ ସାପ ଗୁଡିକ ଡୁଙ୍ଗୁରୀରୁ ବାହାରି ଗାଁରେ ବୁଲୁଥିବା ଜଣାପଡିଛି । ଏ ନେଇ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଭୟରେ ଗାଁ ଲୋକେ ନିଜ ଗୃହପାଳିତ ପଶୁ ଗୁଡ଼ିକୁ ମଧ୍ୟ ଚରିବାକୁ ବାହାରକୁ ଛାଡୁନାହାନ୍ତି କି ଡୁଙ୍ଗୁରି ନିକଟକୁ ଯିବା ପାଇଁ ସାହସ କରୁନାହାନ୍ତି ।
ସେପଟେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସାପ ଗୁଡିକୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ