ରାଇରଙ୍ଗପୁର: ଜଙ୍ଗଲରେ ପଡିଛି ସର୍ବଶିକ୍ଷା ଅଭିଯାନ ଲୋଗୋ ଲାଗିଥିବା ଛାତ୍ରଛାତ୍ରୀଙ୍କ ଗଦାଗଦା ଡ୍ରେସ । ସ୍କୁଲରେ ବିତରଣ କରିବା ବଦଳରେ ଜଙ୍ଗଲରେ ଫୋପାଡି ଦେଇଛନ୍ତି ଗଦାଗଦା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପୋଷାକ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ପଛପଟେ ଥିବା ବନଦୁର୍ଗା ମନ୍ଦିର ସନ୍ନିକଟ ସଂରକ୍ଷିତ ଜଙ୍ଗଲରେ । ତେବେ ଏଭଳି ଘଟଣା ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନାହିଁ। ପ୍ୟାକେଟ ଖୋଲି ନଥିବା ଏତେ ଗୁଡିଏ ନୂଆ ପୋଷାକ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା ।
ତେବେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଅଧିକାଂଶ ପରିବାର ଗରିବ ସୀମାରେଖା ତଳେ ରହୁଛନ୍ତି । ଶିକ୍ଷା କ୍ଷେତ୍ରରେ ସେମିତି ଆଖିଦୃଶିଆ ଅଭିବୃଦ୍ଧି ଘଟିନାହିଁ । ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବହୁତ କମ ରହୁଥିବା ଦେଖିବାକୁ ମିଳୁଛି। ସେହିଭଳି ଡ୍ରପଆଉଟ ପିଲାଙ୍କ ସଂଖ୍ୟା ନେଇ ଉଦବେଗ ବୃଦ୍ଧି ପାଉଛି। ବିଦ୍ୟାଳୟରେ ପଢ଼ିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ, ପୋଷାକ, ଯୋତା ପ୍ରଭୃତି ବିନା ମୂଲ୍ୟରେ ବିତରଣ କରୁଥିବା ବେଳେ ଏ ସମସ୍ତ ସୁବିଧା ବାସ୍ତବରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନଥିବା ଅଭିଯୋଗ ହେଉଛି ।
ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ବର୍ଷକୁ ଦୁଇ ହଳ ପୋଷାକ ଦିଆ ଯାଇଥାଏ । ତେବେ କେଉଁ ସ୍ଥିତିରେ ରରୁଆଁ ଥାନା ପଛପଟେ ବନଦୁର୍ଗା ମନ୍ଦିରକୁ ଲାଗି ରହିଥିବା ସଂରକ୍ଷିତ ଜଙ୍ଗଲରେ ଶିକ୍ଷା ଅଧିକାରୀ ସର୍ବଶିକ୍ଷା ଅଭିଯାନ ଲୋଗୋ ରହିଥିବା ହଜାର ହଜାର ନୂଆ ପୋଷାକ ଫୋପାଡି ଦେଇଛନ୍ତି । ଯାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ବୁଦ୍ଧିଜୀବୀ ମହଲରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କେଉଁ କାରଣରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ଗରିବ ପିଲାଙ୍କ ପାଇଁ ଆସିଥିବା ଏତେ ପରିମାଣର ନୂଆ ପ୍ୟାକେଟରେ ଥିବା ପୋଷାକ ନଷ୍ଟ କରାଯାଇଛି ଏହାର ଉଦ୍ଦେଶ୍ୟ ବୁଝା ପଡୁନାହିଁ। ଏ ଦିଗରେ ରରୁଆଁ ବ୍ଲକ ଶିକ୍ଷା ଅଧିକାରୀ ସୁରେଶ ଚନ୍ଦ୍ର ମୁଣ୍ଡା ତଦନ୍ତ କରୁଥିବା ସୂଚନା ରହିଛି। ତେବେ ଏହି ଘଟଣାରେ ଦୋଷୀକୁ ଉପଯୁକ୍ତ ଆଇନ ସମ୍ମତ ଦଣ୍ଡ ବିଧାନ କରାଯିବ ବୋଲି ସୂଚନା ଦେଇଛନ୍ତି ରରୁଆଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ।
ଇଟିଭି ଭାରତ, ରାଇରଙ୍ଗପୁର