ରାଇରଙ୍ଗପୁର: ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି 7 ଦିନ ପର୍ଯ୍ୟନ୍ତ ସଟଡାଉନ ମୟୂରଭଞ୍ଜ ଜିଲ୍ଲାର ଦୁଇ ଗ୍ରାମପଞ୍ଚାୟତ । ସଟଡାଉନ ଘୋଷଣା କଲେ ଦୁଇ ଗ୍ରାମପଞ୍ଚାୟତର ସରପଞ୍ଚ ।
ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଜାମଦାସାହି ଗ୍ରାମପଞ୍ଚାୟତ ଓ ଜଶିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁଲାଇ 21ରୁ 27 ପର୍ଯ୍ୟନ୍ତ 7 ଦିନ ଧରି ଦୁଇ ଗ୍ରାମପଞ୍ଚାୟତ ଅଧୀନସ୍ଥ ଅଞ୍ଚଳକୁ ସଟଡାଉନ୍ ଘୋଷଣା କରାଯାଇଛି ।
ତେବେ ଜଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତର ଓ ଜଣେ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଉଭୟ ଗ୍ରାମପଞ୍ଚାୟତର ସରପଞ୍ଚ ଏଭଳି ପଦକ୍ଷେପ ନେଇଛନ୍ତି । ଏଥିସହ ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ତିନିଦିନ ଅର୍ଥାତ୍ ୭୨ ଘଣ୍ଟା ପାଇଁ ବନ୍ଦ ରଖାଯାଇଛି । ସେପଟେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ସ୍ଥାନୀୟ ପ୍ରଶାସନ ।
ପ୍ରକାଶ ଥାଉ କି, ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ବିଗୁଡୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଯାହାକୁ ନେଇ ଲୋକଙ୍କ ଚିନ୍ତା ବଢିଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ