ରାଇରଙ୍ଗପୁର : ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ପାଞ୍ଚ ଦିନ ପାଇଁ ପଞ୍ଚାୟତକୁ ସଟଡାଉନ୍ ସହ ତିନୋଟି ଗାଁକୁ ସିଲ୍ କରିବାକୁ ଘୋଷଣା କରିଛନ୍ତି ସରପଞ୍ଚ ।
ମୟୂରଭଞ୍ଜର ତିରିଂ ବ୍ଳକ ବଡନାରାଣୀ ଗ୍ରାମପଞ୍ଚାୟତରେ ସ୍ଥାନୀୟ ଅଞ୍ଚଳରୁ ତିନି ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ବଡନାରାଣୀ ଗ୍ରାମପଞ୍ଚାୟତର ସରପଞ୍ଚ ଛୋଟରାୟ ଟୁଡୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସମଗ୍ର ଗ୍ରାମପଞ୍ଚାୟତକୁ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଏହା ସହିତ ଗ୍ରାମପଞ୍ଚାୟତ ଅଧିନରେ ଥିବା ତିନୋଟି ଗାଁ ଯଥାକ୍ରମେ ଦେଓଗାଁ, ବଡନାରାଣୀ ଓ ସାନନାରାଣୀ ଗ୍ରାମକୁ ସିଲ୍ କରାଯାଇଛି ।
ଉକ୍ତ ପଞ୍ଚାୟତରେ ଏକା ସହିତ 3ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହ ସବିଶେଷ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ 5 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ସିଲ୍ କରାଯାଇଥିବା ତିନୋଟି ଗ୍ରାମକୁ ପଞ୍ଚାୟତ ତରଫରୁ ମଙ୍ଗଳବାର ସାନିଟାଇଜ କରାଯାଇଛି । କୋଭିଡ 19 ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି ।
ତବେ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଭୟଭୀତ ନହେବା ପାଇଁ ଗାଁ ଲୋକଙ୍କୁ ସଚେତନ କରାଯାଇଥିବା ସରପଞ୍ଚ ସୂଚନା ଦେଇଛନ୍ତି । ସଟଡାଉନକୁ ନଜରରେ ରଖି ପୋଲିସ ମଧ୍ୟ ପେଟ୍ରୋଲିଂକୁ କଡାକଡି କରିଥିବା ଦେଖିବାକୁ ମିଳିଛି ।
ରାଇରଙ୍ଗପୁରରୁ ସଞ୍ଚୟ ପରିଡା, ଇଟିଭି ଭାରତ