ରାଇରଙ୍ଗପୁର: ଦିନ ଦ୍ବିପହରରେ ନଗଦ ୬୫୦୦୦ ଟଙ୍କା ଲୁଟି ନେଲେ ଲୁଟେରା । ପୋଲିସ ପେଟ୍ରୋଲିଂ ଚାଲିଥିବା ସତ୍ତ୍ୱେ ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟ କରୁଛନ୍ତି ଲୁଟେରା ।
ଗତ କିଛି ଦିନ ଧରି ରାଇରଙ୍ଗପୁର ସହରରେ କ୍ରମାଗତ ଭାବେ ଲୁଟ ଛିନତାଇ ଘଟଣା ଘଟୁଥିଲେ ମଧ୍ୟ ଲୁଟେରାଙ୍କ କୌଣସି ଟେର୍ ପାଉନି ପୋଲିସ । ବୁଧବାର ମଧ୍ୟ ଏପରି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ୱାର୍ଡ଼ ନଂ ୧୦ ଅଁଳାଡୁବାରୁ ।
ସୂଚନା ଅନୁଯାୟୀ, ୱାର୍ଡ଼ ନଂ ୧୦ ଅଁଳାଡୁବାର ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ସୁଦର୍ଶନ ସେଠୀ ଓ ତାଙ୍କ ସ୍ତ୍ରୀ ସୁବାଷିନି ସେଠୀ ରାଇରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ନଗଦ ୬୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ । ତେବେ ପାଖରେ ଥିବା ୫୦୦୦ ଟଙ୍କା ମିଶି ସର୍ବମୋଟ ୬୫୦୦୦ ଟଙ୍କା ଓ ଗୋଟିଏ ମୋବାଇଲ ଏକ ଲେଡିଜ୍ ପର୍ସରେ ଧରି ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ସ୍ତ୍ରୀ ଧରି ତାଙ୍କ ସ୍ବାମୀଙ୍କ ସହ ଏକ ବାଇକ ଯୋଗେ ଅଁଳାଡୁବା ସ୍ଥିତ ବାସଭବନକୁ ଯାଉଥିଲେ ।
ତେବେ ଅଁଳାଡୁବା ସ୍ଥିତ ବାଦାମିବାଇ ୟୁପି ସ୍କୁଲ୍ ସମ୍ମୁଖରେ ଦୁଇ ଜଣ ଦୁର୍ବୃତ୍ତ ଏକ ପଲସର ବାଇକ ଯୋଗେ ଆସି ତାଙ୍କ ସ୍ତ୍ରୀ ଧରିଥିବା ପର୍ସଟି ଲୁଟ କରି ଦୃତ ଗତିରେ ଖସି ପଳାଇ ଯାଇଥିଲେ ।
ଏନେଇ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ