ରାଇରଙ୍ଗପୁର : ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ହଟାଇବା ସମୟରେ ପୁଣି ଜାତୀୟ ରାଜପଥ ରେ ଘଟି ଯାଇଛି ଆଉ ଏକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଏନଏଚଏଆଇ (National Highways Authority of India) ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ପୋଲିସ ଏଏସଆଇ ଗୁରୁତର ଆହତ ହୋଇଛନ୍ତି। ଏଭଳି ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ହାତୀଝୁରୀ ଛକ ନିକଟସ୍ଥ ୧୮ନଂ ଜାତୀୟ ରାଜପଥରେ।
ସୂଚନା ମୁତାବକ , ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ରାସ୍ତାରୁ ହଟାଇବାକୁ ଯାଇଥିବା ବେଳେ ଅନ୍ୟ ଏକ ଦ୍ରୁତଗାମୀ ଇନୋଭା କାର ଧକ୍କାରେ ଜଣେ ଏନଏଚଏଆଇ କର୍ମଚାରୀ (ଚାଳକ)ଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ବୈଶିଙ୍ଗା ଥାନା ଏଏସଆଇ ଗୁରୁତର ଆହତ ହୋଇଛନ୍ତି। ସୋମବାର ମଧ୍ୟରାତ୍ରି ରେ ୧୮ନଂ ଜାତୀୟ ରାଜପଥ ଉପରେ ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକଟି ରାସ୍ତା ମଝିରେ ଛିଡା ହୋଇ ରହିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଆଜି ଭୋର ସକାଳୁ ବୈଶିଙ୍ଗା ଥାନା ପୁଲିସ ଓ ଏନଏଚ କର୍ମଚାରୀ ଘଟଣାସ୍ଥଳ ରେ ପହଞ୍ଚି ଟ୍ରକଟିକୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରୁଥିଲେ। ତେବେ ସେହି ସମୟରେ ହଠାତ ବାଲେଶ୍ୱର ପଟରୁ ଏକ ଇନୋଭା କାର ଦ୍ରୁତଗତିରେ ଆସି ଉଭୟ ପୁଲିସ ଓ ଏନଏଚ କର୍ମଚାରୀଙ୍କୁ ଧକ୍କା ଦେଇଥିଲା।
ଫଳରେ ଘଟଣାସ୍ଥଳରେ ଜଣେ ଏନଏଚଏଆଇ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଏନଏଚ କର୍ମଚାରୀ ସମେତ ପୋଲିସ ଏଏସଆଇ ପ୍ରଦୀପ ରାଉତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବେତନଟୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ନେଇ ସୂଚନା ମିଳିଛି। ଭୋର ସମୟ ହୋଇଥିବାରୁ ଇନୋଭା ଚାଳକର ଆଖି ଲାଗି ଯାଇଥିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି। ବୈଶିଙ୍ଗା ପୋଲିସ ଇନୋଭା ଚାଳକକୁ ଅଟକ ରଖିଛି। ଘଟଣାସ୍ଥଳରେ ବେତନଟୀ ଏସ୍ଡ଼ିପିଓ ସୁଦର୍ଶନ ଦାଶ ଓ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ପ୍ରକାଶ ଥାଉକି, କିଛିଦିନ ପୂର୍ବେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା। ଏନେଇ ହାଇଓ୍ବା ଓ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା।
ଇଟିଭି ଭାରତ, ରାଇରଙ୍ଗପୁର