ରାଇରଙ୍ଗପୁର: ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ । ବିଧାୟକ, ମନ୍ତ୍ରୀ, ରାଜ୍ୟପାଳ ପରେ ଏବେ NDA ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି । ଏବେ ବାକି ରହିଛି କେବଳ ନିର୍ବାଚନ ଓ ଘୋଷଣା । ପ୍ରଥମ ଥର ପାଇଁ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୂର୍ବରୁ ଝାରଖଣ୍ଡ ରାଜ୍ୟର ରାଜ୍ୟପାଳ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ଏବେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ । ଜୀବନ ଯାତ୍ରାରେ ବହୁ ଘାତପ୍ରତିଘାତର ସାମ୍ନା କରିଛନ୍ତି ଦ୍ରୌପଦୀ । କିନ୍ତୁ ସେ କେବେ ବି ପଛକୁ ଫେରି ଚାହିଁ ନାହାନ୍ତି ।
ବାପା ବିରଞ୍ଚି ନାରାୟଣ ଟୁଡୁ ଓ ମାଆ ସିନଗୋ ଟୁଡୁଙ୍କ ଔରସରୁ ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ବ୍ଲକ ଅନ୍ତର୍ଗତ ଉପରବେଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହାପରେ ୧୯୭୯ ମସିହାରେ ବାଦାମପାହାଡ ବ୍ଲକ ତଲକପୋଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାହାଡପୁର ଗ୍ରାମର ଶ୍ୟାମ ଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ । ବେଶ ହସଖୁସିରେ ଦିନ କଟୁଥିଲା।
ତେବେ ୨୦୧୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସବୁଠୁ କଷ୍ଟଦାୟକ ତିନୋଟି ଦୁଃଖଦ ଘଟଣା ଘଟିଥିଲା ଦ୍ରୌପଦୀଙ୍କ ଜୀବନରେ। ଦ୍ରୌପଦୀ ମୁର୍ମୁ ଙ୍କ ସ୍ବାମୀ ଶ୍ୟାମଚରଣ ମୁର୍ମୁ ବ୍ୟାଙ୍କ ମ୍ୟାନେଜର ଭାବରେ କାର୍ଯ୍ୟରତ ଥିଲେ। ପରେ ଶ୍ୟାମ ଚରଣ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ବ୍ରାଞ୍ଚ ମ୍ୟାନେଜର ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କର ତିନୋଟି ସନ୍ତାନ ମଧ୍ୟରୁ ବଡ଼ପୁଅ ଲକ୍ଷ୍ମଣ ୨୭ ବର୍ଷ ବୟସରେ ୨୫ ଅକ୍ଟୋବର ୨୦୧୦ ମସିହାରେ ଭୁବନେଶ୍ୱର ଠାରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସାନପୁଅ ସିପୁନ ମଧ୍ୟ ୨୭ ବର୍ଷ ବୟସରେ ଜାନୁଆରୀ ୨, ୨୦୧୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର ଚଢେଇଭୋଳ ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ଦୁଇ ପୁଅକୁ ହରାଇ ବାପା ଶ୍ୟାମ ଚରଣ ଓ ମାଆ ଦ୍ରୌପଦୀ ଏକ ପ୍ରକାର ଭାଙ୍ଗି ପଡିଥିଲେ। ଦୁଇ ପୁଅକୁ ଝୁରିଝୁରି ଶେଷରେ ବାପା ଶ୍ୟାମ ଚରଣ ମୁର୍ମୁ ଚିନ୍ତାଗ୍ରସ୍ତ ହୋଇ ଅଗଷ୍ଟ ୧ ,୨୦୧୪ରେ ପ୍ରାଣତ୍ୟାଗ କରିଥିଲେ। ତେବେ ତିନି ଜଣଙ୍କୁ ହରାଇ ଦ୍ରୌପଦୀ ଭାଙ୍ଗି ପଡିଥିଲେ ସତ କିନ୍ତୁ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ନିଜକୁ ସମ୍ଭାଳି ନେଇଥିଲେ। ସେହି ଦିନଠାରୁ ସେ ଜନତାଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଚାଲିଥିଲେ।
ଇତି ମଧ୍ୟରେ ୨୦୧୫ ମସିହାରେ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଥିଲେ। ୨୦୧୬ ମସିହାରେ ତାଙ୍କ ସ୍ବାମୀ ଶ୍ୟାମଚରଣ, ବଡପୁଅ ଲକ୍ଷ୍ମଣ, ସାନପୁଅ ସିପୁନଙ୍କ ସ୍ମୃତିରେ ନିଜ ଘର ପାହାଡପୁର ଠାରେ ଏସ.ଏଲ.ଏସ. ସ୍ମାରକୀ ଆବାସିକ ବିଦ୍ୟାଳୟ କରିଥିଲେ। ସ୍ବାମୀ ଓ ପୁଅ ମାନଙ୍କ ସ୍ମୃତିରେ ଦ୍ରୌପଦୀ ମୁର୍ମୁ ପାହାଡପୁର ସ୍ଥିତ ନିଜ ବାସଗୃହକୁ ବିଦ୍ୟାଳୟରେ ରୁପାନ୍ତରିତ କରିଥିଲେ। ତେବେ ଦ୍ରୌପଦୀ ମୁର୍ମୁଙ୍କ ସାନ ଝିଅ ଇତିଶ୍ରୀ ମୁର୍ମୁଙ୍କ ତତ୍ବାବଧାନରେ ଏସଏଲଏସ ଟ୍ରଷ୍ଟ ବୋର୍ଡ଼ ଦ୍ବାରା ଏହି ବିଦ୍ୟାଳୟଟି ପରିଚାଳିତ ହୋଇଥାଏ।
ନିଶ୍ଚିତ ଭାବେ ନିଷ୍ଠା ସହକାରେ ଦ୍ରୌପଦୀ ମୁର୍ମୁ ନିଜର କର୍ମ କରି ଚାଲିଥିବା ବେଳେ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢି ଜଣେ ଆଦିବାସୀ ମହିଳା ଭାବେ ଆଜି ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ହୋଇ ପାରିଛନ୍ତି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବାକୁ ଯାଉଥିବା ବେଳେ ପାହାଡପୁର ଗାଁ ସ୍ଥିତ ତାଙ୍କ ସ୍କୁଲରେ ପାଠ ପଢୁଥିବାରୁ ଛାତ୍ରଛାତ୍ରୀ ମାନେ ଗର୍ବ ଅନୁଭବ କରୁଛନ୍ତି।
ତେବେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖ ଦିନ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ଭୁଲି ନଥାନ୍ତି ଦ୍ରୌପଦୀ । ଯେଉଁଠି ଥିଲେ ମଧ୍ୟ ନିଜ ଗାଁ କୁ ଧାଇଁ ଆସିଥାନ୍ତି। ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଥାଇ ମଧ୍ୟ ସ୍ବାମୀଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ଯୋଗ ଦେଇଥିଲେ ଏବଂ ଚଳିତ ଅଗଷ୍ଟ ୧ ତାରିଖରେ ରାଷ୍ଟ୍ରପତି ହୋଇ ଗାଁ କୁ ଆସିବେ ବୋଲି ଆଶା ବାନ୍ଧିଛନ୍ତି ତାଙ୍କ ପାଖଲୋକ। ସେପଟେ ଦ୍ରୌପଦୀଙ୍କ ଭଣଜା ବ୍ରଜ ମୋହନ ମଧ୍ୟ ଗାଁ ରେ ରହି ମାଇଁ ଦ୍ରୌପଦୀଙ୍କ ସ୍କୁଲ, ଚାଷଜମି ଦେଖାଶୁଣା କରିଥାନ୍ତି ।
ସେ ମଧ୍ୟ ଆଶା ବାନ୍ଧିଛନ୍ତି ଯେ ରାଷ୍ଟ୍ରପତି ହେବାପରେ ମାଇଁ ଗାଁକୁ ନିଶ୍ଚୟ ଆସିବେ । ସମାଜ ସେବା ବିଶେଷକରି ଗରିବ, ପଛୁଆବର୍ଗ ଓ ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ଅତୁଳନୀୟ।ନିଶ୍ଚିତ ଭାବେ ଦ୍ରୌପଦୀ ମୁର୍ମୁ ଏ ଅଞ୍ଚଳ ପାଇଁ ଗର୍ବ ପାଲଟିଥିବା ଥିବା ବେଳେ ଆଦିବାସୀ ମହିଳା ଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବେ ଏଥିରେ ସନ୍ଦେହ ନାହିଁ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ