ରାଇରଙ୍ଗପୁର: ସରକାରୀ କାର୍ଯ୍ୟାଳୟରେ ପଶିଲା ରାଜନୀତି। ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକାଇବା ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି।
ପ୍ରାୟ 3 ତଳେ ଅର୍ଥାତ ଗତ ୯ ତାରିଖରେ ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକ ଆଇଟିଡିଏ କାର୍ଯ୍ୟାଳୟକୁ ଯାଇ ୨୦୧୮-୧୯ ଆର୍ଥିକ ବର୍ଷରେ ଆସିଥିବା ଉନ୍ନୟନମୂଳକ କାର୍ଯ୍ୟର ସବିଶେଷ ବିବରଣୀ ମାଗିଥିଲେ। ହେଲେ ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ 16 ପୃଷ୍ଠାର ତଥ୍ୟ ସାଂସଦଙ୍କୁ ଦେଇଥିଲେ। ହେଲେ ଆଲୋଚନା କରିବାକୁ ସମୟ ନାହିଁ କହି ବ୍ୟସ୍ତତା ଦେଖାଇ କାର୍ଯ୍ୟାଳୟରୁ ଯିବାକୁ ବାହାରିଥିଲେ ପିଏ ଆଇଟିଡିଏ। ଯାହାକୁ ନେଇ ସାଂସଦ ଓ ବିଧାୟକ ପ୍ରତିବାଦ କରି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ।
ଆଇଟିଡିଏ କାର୍ଯ୍ୟାଳୟରେ ତାଲା ମାରିବା ପରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ପିଏ ଆଇଟିଡିଏଙ୍କୁ ଦୁର୍ବ୍ୟବହାର କରିବା ନେଇ ସାଂସଦ, ବିଧାୟକ ଓ ତାଙ୍କ ସମର୍ଥକଙ୍କ ନାଁରେ ରାଇରଙ୍ଗପୁର ଟାଉନ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇ ଉଠିଛି।
ଏ ଘଟଣାକୁ 2 ଦିନ ବିତିଯାଇଥିଲେ ମଧ୍ୟ ଆଜି ପିଏ ଆଇଟିଡିଏଙ୍କ ସମର୍ଥନରେ ମୟୂରଭଞ୍ଜ ବିଜେଡ଼ି ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି ଶତାଧିକ କର୍ମୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବା ସହିତ ଏକ ପ୍ରତିନିଧି ମଣ୍ଡଳ ଏସଡିପିଓଙ୍କୁ ଭେଟି ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଉପଖଣ୍ଡରେ ଅନ୍ୟାନ୍ୟ ବିଭାଗର କାର୍ଯ୍ୟାଳୟ ଥିବା ସତ୍ତ୍ବେ କେବଳ ଆଇଟିଡିଏ କାର୍ଯ୍ୟାଳୟକୁ ନେଇ ଦୁଇ ପ୍ରମୁଖ ଦଳ ମୁହାଁମୁହିଁ ହେବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ