ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଶିମିଳିପାଳ ସୁରକ୍ଷା ସମ୍ପର୍କରେ ବାରିପଦାସ୍ଥିତ ପୋଲିସ ମୁଖ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂସଲ । ଜିଲ୍ଲା ଗସ୍ତରେ ଆସି ସେ ଅପରାହ୍ନ ୧୦ଟା ସମୟରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପୋଲିସ ଓ ବନବିଭାଗର ମିଳିତ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ଏଡିଜି ସଞ୍ଜୟ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁଲାଲ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ଡଃ ପ୍ରକାଶ ଚନ୍ଦ୍ର ଗୋଗେନାନୀ, ଏସ୍ପି ବି ଗଙ୍ଗାଧର, ଉପନିର୍ଦ୍ଦେଶକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦୁଇ ଉପନିର୍ଦ୍ଦେଶକ, ସମସ୍ତ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀ ଓ ଥାନାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଶିମିଳିପାଳ ଅଭୟାରଣ୍ୟରେ ଦୁଇଜଣ ବନ କର୍ମଚାରୀଙ୍କ ହତ୍ୟା ପରେ ଜୁନ ୧୮ ତାରିଖରୁ ପୋଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ଓ ଶିକାରମୁକ୍ତ ପାଇଁ ୯ଟି ଥାନା ଅଧୀନସ୍ଥ ଜଙ୍ଗଲ ସଂଲଗ୍ନ ଗ୍ରାମଗୁଡ଼ିକରେ ଅସ୍ତ୍ରଶସ୍ତ୍ର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ୪ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଥାନା କର୍ମଚାରୀ ଏଥିରେ ସାମିଲ ରହିଥିଲେ । ସେହିପରି ଶିମିଳିପାଳ ସଂଲଗ୍ନ ୧୨ଟି ଥାନାରେ ଦେଶୀବନ୍ଧୁକ ଆତ୍ମସମର୍ପଣ ଅଭିଯାନ ଆରମ୍ଭ କରାଯାଇ ବ୍ୟାପକ ଜନସେଚତନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ସମୟରେ ୪୦ଟି ମାମଲା ରୁଜୁ ହେବା ସହିତ ୧୬୫ଟି ବନ୍ଧୁକ, ଗୁଳି, ଗୋଟିଏ ବନ୍ଧୁକ ତିଆରି କାରଖାନା, ନଗଦ ୨ ଲକ୍ଷ ୯୫ ହଜାର ଟଙ୍କା, ମୋବାଇଲ ଫୋନ, ବଜ୍ରକାପ୍ତା ଛାଲ, ବନ୍ୟପ୍ରାଣୀ ମୃତଦେହ ଓ ମାଂସ ଆଦି ଜବତ କରାଯିବା ସହିତ ୨୧ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ
ତେବେ ଏହିସବୁ ଜବତ ବନ୍ଧୁକ, ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଜୀବାଂଶ ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ପ୍ରଦର୍ଶିତ ହୋଇଥିଲା । ମୟୂରଭଞ୍ଜ ପୋଲିସର ଏହି ସଫଳତାକୁ ବେଶ ପ୍ରଶଂସା କରିଛନ୍ତି ପୋଲିସ ଡିଜି ସୁନୀଲ ବଂସଲ । ସେ କହିଛନ୍ତି, "ପୂର୍ବରୁ ଏଭଳି କୌଣସି ସଫଳତା ମିଳିନଥିଲା । ଆଗକୁ ବନବିଭାଗ ସହ ଗଠିତ ଜଏଣ୍ଟ ଟାସ୍କ୍ଫୋର୍ସ୍ ଶିମିପାଳକୁ ସୁରକ୍ଷା ଦେବା ପାଇଁ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବ । ଶିମିଳିପାଳ କେବଳ ମୟୂରଭଞ୍ଜର ନୁହେଁ, ଏହା ଓଡିଶାର ।" ତେବେ ଏହି ସମୀକ୍ଷା ପରେ ସେ ନବନିର୍ମିତ ୨ଟି 'ଡି' ଟାଇପ କ୍ବାଟର ଉଦ୍ଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପାଇଁ ମଙ୍ଗଳବାର ଅପରାହ୍ନରେ ବାରିପଦାରେ ପହଞ୍ଚିଥିଲେ ପୋଲିସ ଡିଜି । ସର୍କିଟ ହାଉସରେ ରହଣୀ ସମୟରେ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ଆନ୍ତଃରାଜ୍ୟ ଅପରାଧ ନିୟନ୍ତ୍ରଣ ଓ ବିଶେଷ କରି ଶିମିଳିପାଳକୁ ଶିକାରି ଓ ଶିକାର ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଏଡିଜି, ଆଇଜି ଓ ଏସ୍ପିଙ୍କ ସହ ଆଲୋଚନା କରିଥିଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂସଲ ।
ଇଟିଭି ଭାରତ, ମୟୂରଭଞ୍ଜ