ବାରିପଦା: କୋରୋନା ଆଳରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡୁଛି ସ୍ବାସ୍ଥ୍ୟସେବା । ଚିକିତ୍ସା ଅବହେଳାରୁ ପୁଣି ଜଣେ ରୋଗୀ ମୃତ୍ୟୁ ଅଭିଯୋଗ କରିଛନ୍ତି ରୋଗୀଙ୍କ ପରିବାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ।
ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ମୋରଡ଼ା ବ୍ଲକ ଭାଲିଆଡ଼ିହା ଗ୍ରାମପଞ୍ଚାୟତ ଇଦର ଗ୍ରାମର ନାରାୟଣ ଚପେୟର(୨୦) ନାମକ ଜଣେ ଯୁବକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ନିକଟସ୍ଥ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଡ୍ୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ନକରି ପ୍ରଥମେ କୋରୋନା ଟେଷ୍ଟ କରିଥିଲେ ଏବଂ ରୋଗୀ ଗୁରୁତର ଥିବା କହି ତୁରନ୍ତ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ।
ଅନ୍ୟପକ୍ଷରେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜ ଯାଇ ନ ପାରି ରୋଗୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୁରୁବାର ରୋଗୀଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଡାକ୍ତରଙ୍କ ଅବହେଳା ଓ ଚିକିତ୍ସା ଅବହେଳାରୁ ନାରାୟଣର ମୃତ୍ୟୁ ଅଭିଯୋଗ କରି କିଷାନତାଣ୍ଡି ଡାକ୍ତରଖାନାରେ ହୋହଲ୍ଲା କରିବା ସହ ଡ୍ୟୁଟିରେ ଥିବା ଡାକ୍ତର ସୁକୁମାର ବାଗଙ୍କ ବଦଳି ପାଇଁ ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ସାଂସଦ ବିଶେଶ୍ଵର ଟୁଡୁ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମେଡ଼ିକାଲ ଅଫିସରଙ୍କ ସହ ଘଟଣା ବାଵଦରେ ଆଲୋଚନା କରିଛନ୍ତି । ଅନ୍ୟପକ୍ଷରେ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସରଙ୍କୁ ଘଟଣା ବାବଦରେ ପଚାରିବାରୁ ରୋଗୀ ଗୁରୁତର ଥିଲେ ଏବଂ ରୋଗୀଙ୍କ ସମ୍ପର୍କୀୟ ରୋଗୀଙ୍କୁ ଚିକିତ୍ସା ନକରି ଆମ୍ବୁଲାନ୍ସ ଯୋଗେ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯିବାକୁ ଜିଦ ଧରିଥିଲେ । ତେବେ ଡ୍ୟୁଟିରେ ଥିବା ଡାକ୍ତର ସୁକୁମାର ବାଗଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ସିଡିଏମଓକୁ ଅବଗତ କରାଇବେ ବୋଲି କହିଛନ୍ତି ମେଡ଼ିକାଲ ଅଫିସର ସଂଗ୍ରାମ କେଶରୀ ସାହୁ କହିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ