ବାରିପଦା: ବନ ବିଭାଗ ପକ୍ଷରୁ ଚାଲିଥିଲା ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଚାଲୁଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ତେବେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଡୁକୁରା ଅଞ୍ଚଳରେ ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ରହୁଥିବା ଲୋଧା 28 ପରିବାର ସେମାନଙ୍କ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରି ଆସୁଥିଲେ । କାରଣ ଲୋଧା ପରିବାର ଡୁକୁରା ରେଞ୍ଜରେ ଅବାଧ ଶିକାର କରୁଥିବା ବେଳେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ କରିଥିଲେ ଗ୍ରାମବାସୀ । ତେଣୁ ବନ ସୁରକ୍ଷା ପ୍ରାଧାନ୍ୟ ଦେବାକୁ ଦାବି କରୁ ଆସୁଥିଲେ ଗ୍ରାମବାସୀ । ଦୀର୍ଘ ଦିନ ଦାବି ପୂରଣ ହୋଇନଥିବାରୁ ଆଜି ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଉପରିସ୍ତ ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି ।
ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବାକୁ ବନବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । କେତେବେଳେ ଜଙ୍ଗଲରେ ନିଆଁ ଲଗାଇ ଦିଆ ଯାଉଛି ତ କେତେବେଳେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ଅବାଧରେ ବନ୍ୟଜନ୍ତୁଙ୍କ ଶୀକାର କରାଯାଉଛି । ଏ ସବୁ ଘଟଣାକୁ ଦୃଷ୍ଟିରେ ରଖି ବନବିଭାଗ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ ଜଙ୍ଗଲ ସୁରକ୍ଷା ସମ୍ବନ୍ଧରେ ସଚେତନ କରାଉଛନ୍ତି ।
ତେବେ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଡୁକୁରା ରେଞ୍ଜ ଅନ୍ତର୍ଗତ ଅମ୍ବିକା ଦେଇପୁର ଗ୍ରାମରେ ଆଜି ଦିନ ପାଖାପାଖି ୧୦ଟା ବେଳେ ଡୁକୁରା ବନବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ବନବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ଵାରା ଆରମ୍ଭ କରା ଯାଇଥିଲା । ତେବେ ସେହି ସମୟରେ ଡୁକୁରା ବନବିଭାଗ ଅଧିକାରୀଙ୍କ ସମେତ ବନ କର୍ମଚାରୀମାନଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଏ ସମ୍ପର୍କରେ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ ବନବିଭାଗ ଅଧିକାରୀ । ଖବର ପାଇ ଖୁଣ୍ଟା ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ତେବେ ବନବିଭାଗ କର୍ମଚାରୀଙ୍କ ସମେତ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଦୀର୍ଘ ୬ ଘଣ୍ଟା ଧରି ଅଟକ ରଖିଛନ୍ତି ଗ୍ରାମବାସୀ । ୨୫ରୁ ଉର୍ଦ୍ଧ୍ବ ଗ୍ରାମବାସୀ ସମସ୍ତଙ୍କୁ ଅଟକ ରଖିଥିବା ବେଳେ ପୂର୍ବରୁ ସେମାନଙ୍କର ସରକାରଙ୍କ ପାଖରେ ସେମାନେ ରଖିଥିବା ଦାବିକୁ ପୂରଣ କରିବା ପାଇଁ କହିଥିଲେ । ପୂର୍ବରୁ ଗ୍ରାମବାସୀ ୨୮ଟି ଲୋଧା ପରିବାରକୁ କୋର ଅଞ୍ଚଳରୁ ବିସ୍ଥାପିତ କରିବାକୁ ଦାବି କରି ଆସୁଥିଲେ । ଲୋଧା ଜନଜାତି ଲୋକେ ଜଙ୍ଗଲ ପୋଡିବା ସହିତ ଶିକାର କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଥିଲେ ।
ତେବେ ବନବିଭାଗ କିଛି ପଦକ୍ଷେପ ଗ୍ରହଣ ନକରି ଚୁପ ବସିଥିବା ଗ୍ରାମବାସୀ ଅଭିଯୋଗ ଆଣି ପାଖାପାଖି ୨୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅଟକମାନଙ୍କୁ ଛଡାଯିବନି ବୋଲି ଆଦିବାସୀ ଅଡି ବସିଥିଲେ । ତେବେ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବନ କର୍ମଚାରୀ ଓ ପୋଲିସ ବୁଝାସୁଝା କରିବା ପରେ ଗ୍ରାମବାସୀ ନିଜ ଜିଦ୍ ଛାଡି ବନ କର୍ମଗରୀ ଏବଂ ପୋଲିସ ଅଧିକାରୀଙ୍କୁ ଛାଡିଥିଲେ ଗ୍ରାମବାସୀ ।
ଇଟିଭି ଭାରତ, ବାରିପଦା