ରାଇରଙ୍ଗପୁର: ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଘୁଳୁଘୁଳିଆ ଗାଁର ବିଦିରିସାହି ଦଣ୍ଡାହୁଳିରୁ ଏକ ପଥର ଖୋଲରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ବୃଦ୍ଧ ଜଣକ ଘୁଳୁଘୁଳିଆ ଗ୍ରାମ ବିଦିରିସାହିର ମୁଖି ହାଇବୁରୁ (65) ବୋଲି ଜଣାପଡିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ସୂଚନାଯୋଗ୍ୟ ଯେ, ଜାନୁଆରୀ ୨୪ ତାରିଖରୁ ମୁଖି ହାଇବୁରୁ ନିଖୋଜ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ନ ପାଇବାରୁ ବୃଦ୍ଧଙ୍କ ନାତି ବନ ହାଇବୁରୁ ୨୫ ତାରିଖରେ ମହୁଲଡିହା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
ଶୁକ୍ରବାର ଏକ ପଥର ଡୁଙ୍ଗୁରିରେ ବୃଦ୍ଧଙ୍କ ଗଳିତ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମହୁଲଡିହା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ଡକାଇଥିଲେ। ତେବେ ବୃଦ୍ଧଙ୍କୁ କୌଣସି କାରଣରୁ କେହି ହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ