ରାଇରଙ୍ଗପୁର: ଅଭାବ ରୋକିପାରେନା ଉଦ୍ଭାବନାର ପଥ । କିଛି ସ୍ବତନ୍ତ୍ର କରିବାର ସ୍ବପ୍ନକୁ ଭାଙ୍ଗିପାରେନା ଘାତ-ପ୍ରତିଘାତ । ଯଦି ଦୃଢ ଇଚ୍ଛାଶକ୍ତି ଅଛି ତେବେ ଉପାୟ ଆପେ ଆପେ ଆସିବ । ଆଉ ଦିନେ ସଫଳତା ପଦସ୍ପର୍ଶ କରିବ । ଏପରି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ମୟୂରଭଞ୍ଜର ଜଣେ ଯୁବ ଚାଷୀ ସୁଶୀଲ କୁମାର ଅଗ୍ରୱାଲ । ପେଶାରେ ଜଣେ ଚାଷୀ ହେଲେ ମଧ୍ୟ କିଛି ନୂଆ ଉଦ୍ଭାବନ କରିବା ଥିଲା ତାଙ୍କ ସ୍ବପ୍ନ । ଆମେରିକାର ଫୋର୍ଡ-1920 ମଡେଲ କାର ପରି ଏକ କାର ଉଦ୍ଭାବନ କରି ଏବେ ଚର୍ଚ୍ଚାରେ ସୁଶୀଲ (mayurbhan farmer makes America Ford Model T) ।
ଯୁକ୍ତ 3 ପାଠପଢା ପରଠୁ ଚାଷ କାମରେ ମନୋନିବେଶ କରିଥିଲେ ସୁଶୀଲ । ଆଖପାଖ ଅଞ୍ଚଳର ଜଣେ ସଫଳ ଚାଷୀ ଭାବେ ମଧ୍ୟ ବେଶ୍ ପରିଚିତ । ହେଲେ ନୂଆ କିଛି ଉଦ୍ଭାବନ କରିବାର ସ୍ବପ୍ନ ଥିଲା ତାଙ୍କ ଆଖିରେ । ଆଉ ସୁଶୀଲଙ୍କ ଏହି ସ୍ବପ୍ନକୁ ପ୍ରେରଣା ଯୋଗାଇଲା ଲକଡାଉନ । ସ୍ବଦେଶୀ ଜ୍ଞାନ କୌଶଳ ବ୍ୟବହାର କରି ସେ ଉଦ୍ଭାବନ କରିଛନ୍ତି ବ୍ୟାଟେରୀ ଚାଳିତ କାର୍ । ଯାହା 1920 ମସିହାରେ ଆମେରିକାରେ ଉଦ୍ଭାବନ ହୋଇଥିଲା ।
ଦ୍ବିତୀୟ ଥର ପାଇଁ ସେ ଏହି ବିଦେଶୀ ଭିନଟେଜ୍ କାର୍ ନିର୍ମାଣ କରିଛନ୍ତି । ଏହି ଗାଡିର ନାମ "ଡକ୍ଟର ଆଣ୍ଡି କ୍ଲାସିକ 2020 ମଡେଲ" ରଖିଛନ୍ତି ।
ତେବେ ସୁଶୀଲଙ୍କ ପାଖରେ ନା କୌଣସି ଇଞ୍ଜିନିୟରିଂ ସାର୍ଟିଫିକେଟ ଅଛି ନା ମେକାନିକ କ୍ଷେତ୍ରରେ କୌଣସି ଦକ୍ଷତା ହାସଲ କରିଛନ୍ତି । କିନ୍ତୁ ଉଦ୍ଭାବନା କରିବାର ନିଶା ତାଙ୍କୁ ଆଜି ସବୁଠି ପ୍ରଶଂସିତ କରିପାରିଛି । ସେ ତିଆରି କରିଥିବା ଏହି ଯାନଟି ଅଦରକାରୀ ଲୁହା, ଟାୟାର, ବ୍ୟାଟେରୀ, ମୋଟର, ସୋଲାର ପ୍ୟାନେଲ, କିଛି ବୈଦ୍ୟୁତିକ ଉପକରଣ ବ୍ୟବହାର ହୋଇଛି ।
ଦ୍ବିତୀୟ ଥର ସେ ଏକ ବିଦେଶୀ ଭିନଟେଜ୍ କାର ନିର୍ମାଣ କରି ବେଶ ସଫଳତା ହାସଲ କରି ପାରିଛନ୍ତି । 1920 ମସିହାରେ ଆମେରିକାରେ ଫୋର୍ଡ କମ୍ପାନୀ Ford Model T ନାଁ ରେ ଏକ ଚାରି ଚକିଆ ଗାଡି ନିର୍ମାଣ କରିଥିଲା । ସେହି ଗାଡିରେ ଇଞ୍ଜିନ ଥିବାବେଳେ ପେଟ୍ରୋଲକୁ ଇନ୍ଧନ ରୂପେ ବ୍ୟବହାର କରାଯାଇଥିଲା । ଠିକ୍ ସେହିପରି ଗାଡି ସୁଶୀଲ କୁମାର ନିର୍ମାଣ କରି ଥିବାବେଳେ ଏହି ଗାଡିରେ ଇଞ୍ଜିନ ନାହିଁ କି ପେଟ୍ରୋଲର ଖର୍ଚ୍ଚ ବି ନାହିଁ ।
ଇଞ୍ଜିନ ବଦଳରେ ବ୍ୟାଟେରୀ ଦ୍ବାରା ଚାଲୁଛି ଏହି କାର । ଏଥିପାଇଁ ତାଙ୍କୁ ଛଅ ମାସ ସମୟ ଲାଗିଛି । ଗାଡିଟିର ନାଁ "ଡକ୍ଟର ଆଣ୍ଡି କ୍ଲାସିକ 2020 ମୋଡେଲ" ରଖିଛନ୍ତି । ଏହି ଭିନଟେଜ କାର ନିର୍ମାଣ କରିବାରେ ସୁଶୀଲଙ୍କୁ 4 ରୁ 5 ଜଣ ଯୁବକଙ୍କ ସାହାଯ୍ୟ କରିଛନ୍ତି । ସୌରଶକ୍ତି ଦ୍ବାରା ଚାଳିତ ଏହି ଯାନର ବ୍ୟାଟେରୀ ଥରେ ଚାର୍ଜ କଲେ 300 ରୁ 450 କିଲୋମିଟର ଚାଲି ପାରିବ । ଏଥିରେ ଚାରି ଜଣ ବସି ଆରାମରେ ଯାତ୍ରା କରିପାରିବେ । ଏଥି ସହିତ ଗାଡି ନିର୍ମାଣ କରିବାକୁ ନେଇ ରାଜ୍ୟ ସରକାରଙ୍କ ସହିତ ଯୋଗାଯୋଗ କରିବା ସହିତ ପୁନେ ସ୍ଥିତ ARAI( Automotive Research Association of India) ରେ ପ୍ରାଧିକରଣ ପାଇଁ ଆବେଦନ କରିଛନ୍ତି ସୁଶୀଲ କୁମାର ।
ତେବେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାବେଳେ ସୁଶୀଲଙ୍କ ଏହି କାର ଉଦ୍ଭାବନ ଆଗାମୀ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ